କନକ ବ୍ୟୁରୋ: ଏମ୍ଏସ୍ଏମ୍ଇ ସମ୍ମିଟ- ୨୦୨୫ । ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ । ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା ଓ ବ୍ୟବସ୍ଥାକୁ ଉତ୍ତରଦାୟୀ କରିବାପାଇଁ ବର୍ଷତମାମ କିଛି ନା କିଛି କାର୍ଯ୍ୟକ୍ରମ କରିଆସୁଛି କନକ ନ୍ୟୁଜ୍ । ଏହି କ୍ରମରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଏମ୍ଏସ୍ଏମ୍ଇ ସମ୍ମିଟ୍ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ସମ୍ଭାବନାକୁ ନେଇ ଭୁବନେଶ୍ବର ସ୍ଥିତ ହୋଟେଲ କ୍ରାଉନ୍ରେ ଆୟୋଜିତ ହୋଇଛି ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସ୍ବାଗତ ଅଭିଭାଷଣ ରଖିଥିଲେ ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ।
ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ସମ୍ଭାବନାକୁ ନେଇ ଆଲୋକପାତ କରିଥିଲେ । ସେହିପରି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ସରକାରଙ୍କ ସହଯୋଗରେ କେମିତି ଛୋଟିଆ ଶିଳ୍ପ ବଡ଼ ନିଯୁକ୍ତିର ଅବସର ସୃଷ୍ଟି କରିପାରିବ । ୪ଟି ସେସନ୍ରେ ଓଡ଼ିଶାରେ ଛୋଟିଆ ଶିଳ୍ପର ବିକାଶ ଓ ସମ୍ଭାବନାକୁ ନେଇ ବିସ୍ତ୍ରୁତ ଆଲୋଚନା ହୋଇଛି । ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର ଆଦୃତି କିଭଳି ବିଶ୍ବରେ ବଢ଼ିବ ସେ ସମ୍ପର୍କରେ ବିଶେଷଜ୍ଞମାନେ ମତ ରଖିଛନ୍ତି ।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କିଭଳି ନୂତନ ଓଡ଼ିଶା ଗଠନରେ ସହାୟକ ହେବ ଓ ଶିଳ୍ପରେ କିଭଳି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ନୂଆକରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଥିଲେ କେଉଁଠାରୁ ପୁଞ୍ଜି ସଂଗ୍ରହ ହୋଇପାରିବ ସେ ନେଇ ମଧ୍ୟ ମାର୍ଗ ଦର୍ଶନ କରିଛନ୍ତି ବିଶେଷଜ୍ଞ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଖୁବଶୀଘ୍ର କନକ ନ୍ୟୁଜରେ ପ୍ରସାରଣ ହେବ ।