କନକ ବ୍ୟୁରୋ: ଏଣିକି ଝିଅର ସ୍ୱୀକୃତି ବିନା ବାହାଘର ହୋଇପାରିବନି । ବିବାହ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ହାଇକୋର୍ଟ । ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଅଭିଭାବକଙ୍କ ଏପରି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଝିଅର ଅନୁମତି ନେବା ନିହାତି ଆବଶ୍ୟକ । ଝିଅର ସ୍ୱୀକୃତି ପରେ ହିଁ ବାହାଘର ପାଇଁ ଆଗକୁ ବଢ଼ିବା ଉଚିତ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ । ଝିଅ ନିଖୋଜ ଥିବା ଅଭିଯୋଗ ନେଇ ବାପାଙ୍କ ତରଫରୁ ଦାଖଲ ହୋଇଥିବା ଏକ ହେବିୟସ୍ କର୍ପସ ପିଟିସନ୍ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ ବାହ୍ୟ ବଳ ପ୍ରୟୋଗ କରି ଝିଅଙ୍କୁ ବାହାଦେବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ । ଅଭିଭାବକମାନେ ନିଜ ନିଷ୍ପତ୍ତି ପିଲାମାନଙ୍କ ଉପରେ ଲଦି ଦେବାର ଭାବନାରୁ ଦୁରେଇ ରହିବା ଉଚିତ । ଏହା ବିରୋଧରେ ପ୍ରଶାସନ ବି ସଚେତନ କରିବା ଆବଶ୍ୟକ । ପ୍ରାପ୍ତ ବୟସ୍କ ଝିଅର ନିଷ୍ପତ୍ତିକୁ ସମ୍ମାନ ଦେବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।
ଏହି ମାମଲାରେ ଝିଅଟି ଯେପରି ସହଜରେ ଓ ସୁରକ୍ଷିତ ଭାବରେ ରହୁଥିବା ସ୍ଥାନକୁ ଫେରି ପାରିବ ତାହାରି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ତାଙ୍କ ଜୀବନରେ ସ୍ୱାମୀଙ୍କ କିମ୍ବା ଅଭିଭାବକଙ୍କ କୌଣସି ହସ୍ତକ୍ଷେପ ରହିବନି । ଖାଲି ସେତିକି ନୁହେଁ, ଝିଅର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଭିଭାବକ ଓ ସ୍ୱାମୀଙ୍କ ଅଯଥା ହସ୍ତକ୍ଷେପ ରହିଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏଥି ସହିତ ଝିଅକୁ ଉଦ୍ଧାର ପାଇଁ ବାପା ଦାଖଲ କରିଥିବା ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଜଣେ ନିଖୋଜ ଝିଅକୁ ଉଦ୍ଧାର ପାଇଁ ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମୋବାଇଲ୍ ନମ୍ବରରୁ ଝିଅକୁ ଠାବ କରି ପୁଲିସ ଯୋଗାଯୋଗ କରିଥିଲା । ଝିଅ ନିଜ ଇଚ୍ଛାରେ ରାଜ୍ୟ ବାହାରକୁ ଯାଇ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ପୁଲିସକୁ ଅବଗତ କରିଥିଲେ । ଏହାପରେ ହାଇକୋର୍ଟ ଝିଅକୁ ବ୍ୟକ୍ତିଗତ ଭାବେ ହାଜର କରାଇବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ଶୁଣାଣି ସମୟରେ ଝିଅଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ତାଙ୍କୁ ଜୋରଜବରଦସ୍ତ ବିବାହ କରି ଦିଆଯାଇଥିଲା। ସ୍ବାମୀ କିମ୍ବା ବାପା-ମା’ଙ୍କ ସହିତ ରହିବା ପାଇଁ ସେ ଚାହୁନାହାନ୍ତି । ଏହାପରେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଝିଅ ରାଜି ନଥିଲେ କୌଣସି ଅଭିଭାବକ ତାଙ୍କ ଜୋରଜବରଦସ୍ତ ବିବାହ କରାଇପାରିବେନି । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଶା କରାଯାଉଛି ଯେ, ବାପାମାଆ ନିଜ ଇଚ୍ଛା ଝିଅ ଉପରେ ଲଦି ଦେଇ ପାରିବେନି । ନିଜ ଜୀବନ ସାଥି ବାଛିବାର ସ୍ୱାଧୀନତା ଝିଅଟିଏ ପାଇବ ବୋଲି ଆଶା କରାଯାଉଛି ।
Follow Us