କନକ ବ୍ୟୁରୋ : ଦୀପାବଳିରେ ମିଳିପାରେ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳିରେ ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୯ ତାରିଖରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଦେଇ ଦଶହରା ଭେଟି ଦେଇଥିଲେ । ବାରିପଦାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ଏହାର ତୃତୀୟ ପର୍ଯ୍ୟାୟ ଟଙ୍କା ଦୀପାବଳିରେ ଦେବାକୁ ସରକାର ଯୋଜନା କରୁଛନ୍ତି ।
ଆଜି ସୁଦ୍ଧା ୧ କୋଟି ୬୦ ହଜାର ମହିଳା ଆବେଦନ କରିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । କିନ୍ତୁ ପ୍ରଥମ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିଛି । ଏହି ପର୍ଯ୍ୟାୟରେ ବାକି ରହିଯାଇଥିବା ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ସୁଭଦ୍ରା ଯୋଜନା ପାଇଁ କରିଥିବା ଆବେଦନରେ ଯଦି ତ୍ରୁଟି ଥିବ, ତେବେ ଫୋନ୍ କଲ୍ ଯିବ । ବ୍ଲକ ସ୍ତରରେ ଯାଞ୍ଚ କରାଯିବ, ଅଙ୍ଗନବାଡି କର୍ମୀ ମାନେ ଘରକୁ ଯିବେ ।