କନକ ବ୍ୟୁରୋ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଗତକାଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ରାଜ୍ୟରେ ବୁଲା କୁକୁରଙ୍କ ଗଣନା ହେବ । ଏଥିସହ ମନ୍ତ୍ରୀ କହିଛନ୍ତି, ରାସ୍ତାକଡ଼ରେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ବନ୍ଦ କରାଯିବ । ଏପରିକି ସର୍ବସାଧାରଣରେ ମାଂସ କାଟିବା ଉପରେ ରୋକ୍ ଲାଗବ । ଯାହାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାସ୍ତାକଡ଼ରେ ବୁଲା କୁକୁରଙ୍କୁ ଖାଇବାକୁ ନଦେବା ପାଇଁ ପୌର ସଂସ୍ଥାଗୁଡ଼ିକ ଲୋକଙ୍କୁ ସଚେତନ କରିବେ । ସେହିପରି ରାସ୍ତାକଡ଼ରେ ମାଂସକାଟି ଏଣେତେଣେ ପକାଇ ପାରିବେ ନାହିଁ । ଏପରିକି ବଳକା ମାଂସ ବୁଲା କୁକୁରଙ୍କୁ ଖାଇବାକୁ ଦେଇପାରିବେ ନାହିଁ । ଏଥିପାଇଁ ସର୍ବସାଧାରଣ ସ୍ଥାନରେ ମାଂସ ନକାଟିବାକୁ ପୌର ସଂସ୍ଥାଗୁଡ଼ିକ ନିର୍ଦ୍ଦେଶାବଳୀ ଜାରି କରିବେ । ଗତକାଲି ଏନେଇ ସୂଚନା ଦେଇଥିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଚିନ୍ତାରେ ପଡ଼ିଯାଇଛନ୍ତି ରାଜଧାନୀ ଭୁବନେଶ୍ୱରର ମାଂସ ଦୋକାନୀ । ପ୍ରାୟ ୩୦ ବର୍ଷ ଧରି ରାସ୍ତାକଡ଼ରେ ମାଂସ ବିକୁଥିବାରୁ, ବିକଳ୍ପ ଦୋକାନ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ବଳକା ମାଂସ ବୁଲା କୁକୁରଙ୍କୁ ନଦେଇ ଡଷ୍ଟବିନ୍ରେ ପକାଉଥିବା ସଫେଇ ରଖିଛନ୍ତି । ଅଧିକାଂଶ ସମୟରେ ମ୍ୟୁନିସିପାଲିଟି ଅଳିଆ ଉଠାଉନଥିବା ଅଭିଯୋଗ ମଧ୍ୟ କରିଛନ୍ତି ।
ଦିଲ୍ଲୀ-ଏନ୍ସିଆରରେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶାରେ ବୁଲା କୁକୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
- ଓଡ଼ିଶାରେ ବୁଲା କୁକୁର
- ଦେଶରେ ସର୍ବାଧିକ ବୁଲା କୁକୁର ଓଡ଼ିଶାରେ ଅଛନ୍ତି
- ୨୦୧୯ରେ କେନ୍ଦ୍ର ସରକାର ବିଂଶତମ ପଶୁ ଗଣନା କରିଥିଲେ
- ରାଜ୍ୟରେ ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ୬୦ ହଜାର
- ରାଜ୍ୟରେ ପ୍ରତି ହଜାରେ ଲୋକରେ ୪୦ ବୁଲା କୁକୁର ଅଛନ୍ତି
ପ୍ରଶ୍ନ ଉଠୁଛି ଏହି ବୁଲା କୁକୁରଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନକରି, କେବଳ କୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବା ଆଳରେ ଖାଇବାକୁ ଦେବା ବନ୍ଦ କରିହେବ କି ? ସରକାରଙ୍କ ଏକପାଖିଆ ନିଷ୍ପତ୍ତିକୁ ନେଇ ପଶୁପ୍ରେମୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।