କନକ ବ୍ୟୁରୋ : ମଠ ମନ୍ଦିର ଗୁଡିକର ସୁରକ୍ଷା ଓ ରକ୍ଷଣ ବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଈଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଏହାର ନାଁ ରହିବ ଦେବାଳୟ ପ୍ରକଳ୍ପ । ଶ୍ରୀମନ୍ଦିରକୁ ୱି ଫୋକସରେ ରଖିଛନ୍ତି ସରକାର । ଗୋଟିଏ ଓ୍ୱେବସାଇଟରେ ମଠ ଓ ମନ୍ଦିରର ତଥ୍ୟ ରହିବ ।
ମଠ ମନ୍ଦିର ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନାରେ ପର୍ଯ୍ୟଟନ, ଐତିହ୍ୟ ସହ ଧାର୍ମିକସ୍ଥଳୀଗୁଡିକର ସଂଯୋଗୀକରଣ କରାଯିବ । ତୀର୍ଥଯାତ୍ରୀଙ୍କ ପାଇଁ ପୁନଃନିର୍ମାଣ ଏବଂ ମନ୍ଦିର ପରିଚାଳନା ପାଇଁ ଆରମ୍ଭ ହେବ ‘ପ୍ରୋଜେକ୍ଟ ଦେବାଳୟ’ । ଅବହେଳିତ ହୋଇ ରହିଥିବା ମଠ ମନ୍ଦିରଗୁଡିକ ପାଇଁ ବ୍ଲୁପ୍ରିଣ୍ଟ ତିଆରି କରୁଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ନୂଆ ସରକାର ତାକୁ ପାଳନ କରିବାକୁ ଯାଉଛନ୍ତି ।
ଯେଉଁ ମଠ ମନ୍ଦିର ଗୁଡିକ ମରାମତି, ରକ୍ଷାଣବେକ୍ଷଣ, ପରିଚାଳନା ସମସ୍ୟା ରହିଛି, ସେଗୁଡିକ ପ୍ରତି ଧ୍ୟାନ ଦିଆଯିବ । ଏନେଇ ନିର୍ଦ୍ଦିଷ୍ଟ ରୂପରେଖ ଖୁଵଶୀଘ୍ର ପ୍ରସ୍ତୁତ ହେବ । ରାଜ୍ୟଯାକର ମଠ ମନ୍ଦିରର ଡକୁମେଣ୍ଟେସନ କରାଯିବ । ଏହାପରେ ଗୋଟିଏ ଓ୍ୱେବସାଇଟରେ ରହିବ ସବୁ ମଠ ଓ ମନ୍ଦିରର ତଥ୍ୟ । ରାଜ୍ୟରେ ଥିବା ମଠମାନଙ୍କୁ ଜମି ଆବଣ୍ଟନ ସହ ମଠର ପୂର୍ବଗୌରବକୁ ପୁନରୁଦ୍ଧାର କରାଯିବ । ନୂଆ ଯୋଜନାରେ ଫୋକସରେ ରହିଛି ଶ୍ରୀମନ୍ଦିର । ପରିକ୍ରମା ପ୍ରକଳ୍ପ ସମୟରେ ଭଙ୍ଗା ହୋଇଥିବା ମଠଗୁଡିକ ପାଇଁ ଯଥେଷ୍ଟ କ୍ଷତିପୂରଣ ସହ ପୁନଃପ୍ରତିଷ୍ଠା ପାଇଁ ଖସଡା ପ୍ରସ୍ତୁତ କରୁଛନ୍ତି ।
ପୂର୍ବ ସରକାର ମଠ ମନ୍ଦିରର କେବଳ ମରାମତି ପାଇଁ ଅବଢ଼ା ଯୋଜନା କରିଥିଲେ । ବିଜେପି ସରକାର ଆସିବା ପରେ ନୂଆ ମଠ ଓ ମନ୍ଦିର ପାଇଁ ନୂଆ ଯୋଜନା କରିବାକୁ ଯାଉଛନ୍ତି । ଏହା ଧାର୍ମିକ ପର୍ୟ୍ୟଟନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି ।