କନକ ବ୍ୟୁରୋ: ଗଜପତି ଭୂସ୍ଖଳନ ପରେ ସରକାରଙ୍କ ବଡ଼ ପଦକ୍ଷେପ । ଭୂସ୍ଖଳନ ମୁକାବିଲା ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡକୁ ଚିହ୍ନଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ସୁରେଶ ପୂଜାରୀ । ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯାହାଦ୍ୱାରା ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ । ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ବର୍ଷା ଯୋଗୁଁ ରାସ୍ତା ବୁଡ଼ି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ରାସ୍ତା ଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆରାସ୍ତା ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ତଳିଆ ରାସ୍ତା ଗୁଡ଼ିକୁ ଉଚ୍ଚ କରାଯିବ ।
କ୍ଷତିପୂରଣ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ଆସନ୍ତାକାଲି ଭିତରେ କ୍ଷତିପୂରଣ ଯୋଗାଇ ଦେବେ ସରକାର । ଲଘୁଚାପ ବର୍ଷା ଯୋଗୁଁ ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ରାୟଗଡ଼ାର କିଛି ଗାଁରେ ବର୍ଷା ପାଣି ପଶିବା ଯୋଗୁଁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାର ୯ଟି ଗାଁ ପାଣି ଘେରରେ ଥିଲା । ତେବେ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଜଣେ ଲୋକଙ୍କର ମୁଣ୍ଡରେ ପଥର ବାଜିବା ଫଳରେ ମୃତ୍ୟୁ ହୋଇଥିଲା ଏବଂ ଆଉ ଆଉ ଜଣଙ୍କର ପୋଷ୍ଟମର୍ଟମ ପରେ କେମିତି ମୃତ୍ୟୁ ହେଲା ଜଣାପଡିବ । ଏତେ ବଡ଼ ଭୁସ୍ଖଳନ ହେଲା ଯେ, ରାତି ସାରା ଦୁଇ ଜଣ ଲୋକ ମାଟି ପଥର ତଳେ ଦବି ରହିଗଲେ । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।
ଲଘୁଚାପ ଜନିତ ଲଗାଣ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ଗଜପତି ଜିଲ୍ଲା ବସ୍ତ୍ରିଗୁଡ଼ା ପଞ୍ଚାୟତର ତ୍ରିନାଥ ନାୟକ ଓ ମେରିପଲ୍ଲୀ ପଞ୍ଚାୟତର ଲକ୍ଷ୍ମଣ ନାୟକଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁଁ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଭୂସ୍ଖଳନରେ ଏବେବି ଦୁଇ ବାପ ପୁଅଙ୍କର ପତ୍ତା ମିଳୁନି ।