କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି ବୋଲି କହିଛନ୍ତି ସିଏଜି । ଯୋଜନାର ପ୍ରକୃତ ଅର୍ଥ ଥିଲା ମୁଖ୍ୟ ରାସ୍ତା ସହ ସଂଯୋଗ । କିନ୍ତୁ ଜେଇଇ ନିଜେ ନିଜେ ସ୍ଥିର କରିଥିଲେ କେଉଁଠି ସଡ଼କ ନିର୍ମାଣ ହେବ । କୌଣସି ସର୍ଭେ ହୋଇନାହିଁ । ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା । ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ ବୋଲି ଦର୍ଶାଇଛନ୍ତି ସିଏଜି ।

ରାଜ୍ୟର କୌଣସି ସହରରେ ମାଷ୍ଟରପ୍ଲାନ ହୋଇନାହିଁ । ପୁରୀର କୌଣସି ହୋଟେଲ କମର୍ସିଆଲରେ କାଟଗୋରି ନାହିଁ । ସମସ୍ତଙ୍କ କିସମ ଚାଷ ଜମିରେ ରହିଛି । ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ନଷ୍ଟ ହେଉଛି ବୋଲି ସିଏଜି ଦର୍ଶାଇଛନ୍ତି । ଖରାପ ଯୋଜନା ପାଇଁ ଉଭୟ ଭୁବନେଶ୍ୱର ଏବଂ ରାଉରକେଲା ସ୍ମାର୍ଟ ସିଟିରେ ଯୋଜନାର ମାତ୍ର ୩୬ ଏବଂ ୩୭ ପ୍ରତିଶତ କାର୍ୟ୍ୟକାରୀ ହୋଇଛି । SC ST ଛାତ୍ରଛାତ୍ରୀଙ୍କ ବୃତ୍ତି କ୍ଷେତ୍ରରେ ଜାଲିଆତି ହୋଇଛି । ଭୁଲ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଆଧାରରେ ୯୭.୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ବିଧାନସଭାରେ ଆଜି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଏଥିରେ ଅନେକ କ୍ଷେତ୍ରରେ ଅନିୟମିତତା ହୋଇଥିବା ଧରିଛନ୍ତି ସିଏଜି । ବିଶେଷକରି କାଳିଆ ଯୋଜନାର ସତ ଧରିଛନ୍ତି ସିଏଜି । ୧୨ ଲକ୍ଷ ୭୨ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଇଛି ୭୮୨କୋଟି ୨୬ଲକ୍ଷ କାଳିଆ ଟଙ୍କା । ଘୋଷଣାର ୨ବର୍ଷ ପରେ ବି ଆରମ୍ଭ ହୋଇନି କାଳିଆ ସ୍କଲାରସିପ । କାଳିଆ ୱେବ ପୋର୍ଟାଲ ପାଇଁ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁକମ୍ପା ଦିଆଯାଇଥିବା ଜଣାପଡ଼ିଛି । ବିନା ଟେଣ୍ଡରରେ ଦିଆଯାଇଥିଲା କୋଟିଏ ଟଙ୍କାର କାମ  ।