କନକ ବ୍ୟୁରୋ : ଜଣେ ସରକାରୀ ମହିଳା କର୍ମଚାରୀ କେତେ ଦିନ ପାଇଁ ପ୍ରସବକାଳୀନ ଛୁଟି ନେଇପାରିବେ । ଏ ନେଇ ଥିବା ଦ୍ୱନ୍ଦ୍ୱକୁ ସରକାର ଦୂର କରିଛନ୍ତି । ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି ।

Advertisment

ନୂଆ ନିଷ୍ପତ୍ତି ଅନୁସାରେ ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ଛଅ ମାସ ମଧ୍ୟରେ ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ । ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥିବା କର୍ମଚାରୀ ସରକାରୀ ସେବାରେ ଯୋଗ ଦେବା ପରେ ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ଏହି ମାତୃତ୍ୱ ଛୁଟି ୧୮୦ ଦିନରୁ କମ୍ ହେବ । କର୍ମଚାରୀ ମାତୃତ୍ଵ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ  କିମ୍ବା ମୃତ ଶିଶୁ ଜନ୍ମ ହୁଏ, ତେବେ ମାତୃତ୍ୱ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ । ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ । ମାତୃତ୍ୱ ଛୁଟିର ଅବଧି ଶେଷ ହୋଇଯାଇଥିଲେ ସେ ୧୪ ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପାଇବେ ।ଯଦି ମାତୃତ୍ୱ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ମିଳିବ ।

ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ଵ ଛୁଟି ପ୍ରଦାନ କରାଯିବ । ଶିଶୁ ପ୍ରସବ ଯେକୌଣସି ସ୍ୱୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ । ମାତୃକାଳୀନ ଛୁଟିକୁ ନେଇ ଦୀର୍ଘଦିନ ହେବ ଦ୍ୱନ୍ଦ୍ୱ ଲାଗି ରହିଥିଲା ।