କନକ ବ୍ୟୁରୋ: ଆଜି IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍ସି କମିସନର ଦାୟିତ୍ୱରେ ବି ଅଛନ୍ତି । ସେହିଭଳି ଏନ୍ ଥିରୁମାଲା ନାଏକଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ମିଳିଛି । ଏସ୍ଏନ୍ ଗିରିଶଙ୍କୁ ମିସନ ଶକ୍ତି ବିଭାଗ ଦାୟିତ୍ୱ । ସୁରେନ୍ଦ୍ର କୁମାର ମୀନାଙ୍କୁ ଏସ୍ସି/ଏସ୍ଟି ଓ ପଛୁଆବର୍ଗ ଦାୟିତ୍ୱ ମିଳିଥିବା ବେଳେ ଶୁଭଶ୍ରୀ ନନ୍ଦଙ୍କୁ ମିଳିଛି ଯୋଜନା ସଂଯୋଜନା ବିଭାଗ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରେ ୩ IAS ଅଧକାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । ସମର୍ଥ ବର୍ମା, ସ୍ୱଧାଦେବ ସିଂ ଓ ଶାଳିନୀ ପଣ୍ଡିତ କେନ୍ଦ୍ର ଡେପୁଟେସନରେ ଯାଇଛନ୍ତି । ଏହି ୩ ଜଣଙ୍କ ପାଖରେ ବଡ଼ ବଡ଼ ବିଭାଗ ରହିଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ୨୦୦୧ ବ୍ୟାଚ୍ର ଆଇଏଏସ୍ ଶାଳିନୀ ପଣ୍ଡିତ କେନ୍ଦ୍ରକୁ ଯିବେ । ତାଙ୍କୁ ଅର୍ଥ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ୨୦୧୧ ବ୍ୟାଚ୍ର ଆଇଏଏସ୍ ସମର୍ଥ ବର୍ମା ମଧ୍ୟ କେନ୍ଦ୍ରରେ ନିଯୁକ୍ତି ମିଳି ଛି। ସେ ଭାରତ ସରକାରଙ୍କ ବନ୍ଦର ବିଭାଗରେ ନିର୍ଦ୍ଦେଶକ ଭାବେ କାମ କରିବେ । ସେହିପରି ୨୦୧୪ ବ୍ୟାଚ୍ର ଆଇଏଏସ୍ ସ୍ୱଧା ଦେବ ସିଂହ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକରୁ କେନ୍ଦ୍ର ସରକାରଙ୍କ ଜନଗଣନା ବିଭାଗରେ କାର୍ଯ୍ୟ କରିବାକୁ ନୂଆ ଦାୟିତ୍ୱ ପାଇଛନ୍ତି । ସେଠାରେ ସେ ନିର୍ଦ୍ଦେଶକ ଭାବେ କାମ କରିବେ।
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ କେନ୍ଦ୍ର ଡେପୁଟେସନ୍ରେ ଯିବା ପରେ ତାଙ୍କ ସ୍ଥାନରେ ୨୦୦୯ ବ୍ୟାଚ୍ର ଆଇଏଏସ୍ ନୁନ୍ସାବତ ଥିରୁମାଲା ନାଏକଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ମାନସୀ ନିମ୍ଭାଲଙ୍କୁ ସ୍ୱଧା ଦେବ ସିଂହଙ୍କ ସ୍ଥାନରେ ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି ।
ରାଜ୍ୟ ସରକାର ଆଇଏଏସ୍ ୨୦୧୨ ବ୍ୟାଚ୍ର ସୁରେନ୍ଦ୍ର କୁମାର ମୀନାଙ୍କୁ ଅନୁସୂଚିତ ଜାତି ଓ ଜନଜାତୀ ବିକାଶ ବିଭାଗର ଅତିରିକ୍ତ ସଚିବ ଦ୍ବାୟିତ୍ୱ ଦେଇଥିବା ବେଳେ ୨୦୧୪ ବ୍ୟାଚ୍ର ଆଇଏଏସ୍ ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ବିଏମ୍ସି କମିସନର ଚଞ୍ଚଲ ରାଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।