କନକ ବ୍ୟୁରୋ : ଲୋକଙ୍କ ସରକାରରେ ସ୍ଲୋଗାନରେ ସୀମିତ ରହିବନି ଆଦିବାସୀ ସଶକ୍ତୀକରଣ । ଜନଜାତିଙ୍କ ବିକାଶରେ ହିଁ ଓଡ଼ିଶାର ବିକାଶ ଏହି ମନ୍ତ୍ର ସହ ଆଗକୁ ବଢୁଛନ୍ତି ମୋହନ ସରକାର । ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ବାରିପଦାରେ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ କରି ଏନେଇ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ସହ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ମୋହନ ।
ଲଘୁ ଉଦ୍ୟୋଗ କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ପାଇଁ ୫ ହଜାର ଆଦିବାସୀ ଯୁବବର୍ଗ ଉପକୃତ । ଆବାସିକ ଶିକ୍ଷାକୁ ସହଜ କରିବାକୁ ଛାତ୍ରାବାସ ପାଇଁ ୭୩୨ କୋଟି ବ୍ୟୟ ବରାଦ । ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନାରେ ୧୦୦ କୋଟି ବ୍ୟୟବରାଦ । ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ପାଇଁ ୧୦୦ କୋଟି । ଆଦିବାସୀ ଭାଷା ପ୍ରତିଷ୍ଠାନ ପାଇଁ ୫୦ କୋଟିର ପ୍ରକଳ୍ପରେ ମୋହର ମାରିଛନ୍ତି ମୋହନ ସରକାର ।
ଓଡ଼ିଶାର ସଂସ୍କୃତିକୁ ଜନଜାତି ସଂସ୍କୃତି ଆହୁରି ସମୃଦ୍ଧ କରିଛି । ଜନଜାତିଙ୍କ ବିନା ଭାରତୀୟ ସଂସ୍କୃତିର ପରିକଳ୍ପନା ଅସମ୍ଭବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ସ୍ବପ୍ନକୁ ପୂରା କରିବାକୁ ଜନଜାତିର ବିକାଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହଯୋଗୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଆଦିବାସୀ ସମାଜର ପ୍ରକୃତ ବିକାଶ ସେତେବେଳେ ହେବ ଯେତେବେଳେ ପ୍ରତି ଆଦିବାସୀ ପରିବାରରେ ଶିକ୍ଷା ପହଞ୍ଚିବ । ବିଜେପି ସରକାରରେ ଆଦିବାସୀ ନିର୍ଯାତିତ ଓ ଅବହେଳିତ ହେଉଥିବାର ବାରମ୍ବାର ଅଭିଯୋଗ ଆଣୁଛନ୍ତି ବିରୋଧୀ। ରାଜ୍ୟରେ ଘଟୁଥିବା ବିଭିନ୍ନ ଘଟଣା ମଧ୍ୟ ଏହି ଅଭିଯୋଗକୁ ବଳ ଦେଉଛି । ଏଭଳି ସ୍ଥଳେ ଆଦିବାସୀଙ୍କ ବିକାଶ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ ପାଇଁ ସବୁଠୁ ବଡ଼ ପରୀକ୍ଷା ।