କନକ ବ୍ୟୁରୋ: ଝାଡଖଣ୍ଡରେ ଜେଏମଏମ-କଂଗ୍ରେସ ମେଂଟ ଜିତିଛି । କିନ୍ତୁ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ପୂର୍ବ ଜାମସେଦପୁରରୁ ହାରିଯାଇଛନ୍ତି । ଆଉ ଜିତିଛନ୍ତି ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ । ତେଣୁ ଅଜୟ କୁମାର ହାରିବା ପରେ କଂଗ୍ରେସ ହାଇକମାଣ୍ଡ କି ଆଭିମୁଖ୍ୟ ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଝାଡଖଣ୍ଡରେ ନିର୍ବାଚନ ହେଉଥିଲା, କିନ୍ତୁ ତାତି ଥିଲା ଓଡିଶାରେ । ରାଜ୍ୟ ବିଜେପି ଓ କଂଗ୍ରେସର ମାଳ ମାଳ ନେତା ଝାଡଖଣ୍ଡରେ ଡେରା ପକାଇଥିଲେ । ସମସ୍ତଙ୍କ ନଜର ରହିଥିଲା ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ । କାରଣ ଏଠାରେ ଲଢୁଥିଲେ ଓଡିଶାର ରାଜ୍ୟପାଳ ରଘୁବାର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଜାମଦେସପୁରରେ ଏସପି ରହି ଦବଦବା ଜାହିର କରିଥିବା ଅଜୟ କୁମାର କିନ୍ତୁ ଭୋଟ ରାଜନୀତିରେ ପଛରେ ପଡିଯାଇଛନ୍ତି । ଅଜୟ କୁମାରଙ୍କୁ ୪୨ ହଜାର ୮୭୧ ଭୋଟରେ ହରାଇଛନ୍ତି ପୂର୍ଣ୍ଣିମା ସାହୁ । ହାରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଅଜୟ କୁମାର କହିଛନ୍ତି, ପରାଜୟକୁ ଗ୍ରହଣ କରୁଛି । ପରାଜୟର ସମୀକ୍ଷା କରାଯିବ। ଏହାପରେ ଓଡିଶାରେ ଏହାର ପ୍ରଭାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅଜୟଙ୍କ ଅପେକ୍ଷା ପୂର୍ଣ୍ଣିମା ଜାମସେଦପୁରର ପସନ୍ଦ
ଓଡ଼ିଶା ରାଜନୀତିରେ କ’ଣ ପଡ଼ିବ ପ୍ରଭାବ?
ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଅଜୟ କୁମାରଙ୍କ ଭୂମିକା ବିବାଦରେ ରହିଛି । ନିର୍ବାଚନ ସମୟରେ ତାଙ୍କ ନାଁରେ ପାଣ୍ଠି ହେରଫେରର ଅଭିଯୋଗ ଆସିଛି । ଥାନାକୁ ବି ମାମଲା ଯାଇଛି । ପ୍ରଭାରୀ ହେବା ପରେ ସେ ଯେଭଳି ରଣହୁଙ୍କାର ଦେଇଥିଲେ ତାହା ନିର୍ବାଚନବେଳକୁ ଫିକା ପଡିଯାଇଥିଲା । ଏବେ ରାଜନୀତିରେ ଏକପ୍ରକାର ଫେଲ ମାରିଛନ୍ତି ଅଜୟ । ତେଣୁ ପ୍ରଶ୍ନ ଉଠୁଛି
- କଂଗ୍ରେସ ଆଗକୁ ଅଜୟ କୁମାରଙ୍କୁ କେତେ ଗୁରୁତ୍ବ ଦେବ?
- ନେତା ଓ କର୍ମୀ ନିରୁତ୍ସାହିତ ହେବା ଆଶଙ୍କାରେ ବଦଳାଇଦେବ କି?
- ରାଜ୍ୟ ବିଜେପି ଆଗରେ ଅଜୟ କୁମାରଙ୍କ ଗୁରୁତ୍ବ କେତେ ରହିବ?
- ନୈତିକତା ଦୃଷ୍ଟିରୁ ଅଜୟ ଓଡ଼ିଶା ପ୍ରଭାରୀ ଦାୟିତ୍ବରୁ ଅବ୍ୟାହତି ନେବେ କି?
ଦୀର୍ଘଦିନ ହେଲା ରାଜ୍ୟ କଂଗ୍ରେସ ମୁରବୀଶୂନ୍ୟ ହୋଇ ପଡିରହିଛି । ଏକପ୍ରକାର ନିଷ୍କ୍ରିୟ ହୋଇଯାଇଛି କଂଗ୍ରେସ । ଆଶା କରାଯାଉଥିଲା, ଅଜୟ କୁମାର ଜିତିଲେ ନୂଆ ଉତ୍ସାହ ନେଇ ଓଡିଶା ଫେରିବେ ଓ କଂଗ୍ରେସକୁ ଅଧିକ ସକ୍ରିୟ କରିବେ। କିନ୍ତୁ ଅଜୟ କୁମାର ହାରିଯିବା ପରେ ଚର୍ଚ୍ଚା ହେଉଛି ପିସିସି ସଭାପତି ଘୋଷଣା ଆହୁରି ବିଳମ୍ୱ ହୋଇପାରେ ।