କନକ ବ୍ୟୁରୋ: ଅନୁଗୁଳ- ଢେଙ୍କାନାଳ ଜିଲ୍ଲାରେ ବନ ବିଭାଗର ମୁଣ୍ଡବିନ୍ଧାର କାରଣ ସାଜିଛି ହାତୀ-ମଣିଷ ବିବାଦ। ଏଥିରେ ରୋକ୍ ଲଗାଇବା ପାଇଁ ବନ ବିଭାଗ ଆପଣାଉଛି ଭଳିକି ଭଳି ଅଭିନବ ପନ୍ଥା । ଏ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଅମାନିଆ ଓ ନରହନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ତିଆରି କରିଛି ସ୍ଵତନ୍ତ୍ର ରେସ୍କ୍ୟୁ ଟ୍ରକ୍ 'ଐରାବତ'। ଏମିତିକି ଆହତ ହାତୀଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବ ଏ କଷ୍ଟମାଇଜ୍‌ଡ ଭେଇକିଲ୍। ଏହି ସ୍ୱତନ୍ତ୍ର ଯାନରେ କଣ ସବୁ ବ୍ୟବସ୍ଥା ରହିଛି ।

Advertisment

ଏହା କୌଣସି ସାଧାରଣ ଟ୍ରକ୍‌ ନୁହେଁ, ଜାମସେଦପୁରରେ ୬ ମାସ ଧରି ୫୨ଟି ସ୍ଵତନ୍ତ୍ର ବୈଶିଷ୍ଟ୍ୟକୁ ନେଇ ପ୍ରସ୍ତୁତ କରାଯାଇଛି ରାଜ୍ୟର ଏହି ପ୍ରଥମ ହାତୀ ଉଦ୍ଧାର ଯାନ 'ଐରାବତ'। ଏହି ରେସ୍କ୍ୟୁ ଟ୍ରକ୍ ଭିତରେ ଏକ ୱିଞ୍ଚ୍ ରହିଛି, ଯାହା ଉଦ୍ଧାର ହେବାକୁ ଥିବା ହାତୀକୁ ଗାଡ଼ି ଭିତରକୁ ଟାଣିନେବ । ହାତୀର ଶୋଷ ମେଣ୍ଟେଇବାକୁ ଖଞ୍ଜାହୋଇଛି ୨୨ଶହ ଲିଟର କ୍ଷମତାର ପାଣି ଟାଙ୍କି ଓ ସକ୍ସନ୍ ପମ୍ପ। ଏହି ରେସ୍କ୍ୟୁ ଗାଡ଼ିରେ ଥିବା ଥର୍ମାଲ ସ୍କାନର, ସ୍ଥାନାନ୍ତର ହେଉଥିବା ହାତୀର ତାପମାତ୍ରାକୁ ଲଗାତର ମାପି ଚାଲିଥିବ । ଯଦି ହାତୀର ତାପମାତ୍ରା ବଢ଼ିଯିବ, ଏଥିରେ ଥିବା ମିଷ୍ଟ୍ରିଂ ସିଷ୍ଟମ ଅନ୍‌ ହୋଇ ହାତୀ ଉପରେ ପାଣି ଛିଞ୍ଚିବ । ହାତୀ ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ଲାଗିଛି, ଫଳରେ ଟ୍ରକ୍‌ରେ ଥିବା କ୍ର୍ୟୁ ଚାମ୍ବରରୁ ଲଗାତର ମନିଟର କରାଯାଇ ପାରିବ । ହାତୀକୁ ଟ୍ରକ୍‌ର ମଝିରେ ସ୍ଥିର ରଖିବାକୁ ଏୟାର କୁସନ୍ ଲାଗିଛି । ହାତୀର ଖାଇବା ପାଇଁ ସ୍ବତନ୍ତ୍ର ପାତ୍ର ବି ରଖାଯାଇଛି । 

ପ୍ରଶ୍ନ ଉଠୁଛି, ଅନୁଗୁଳକୁ କାହିଁକି ପଠାଗଲା ରାଜ୍ୟର ପ୍ରଥମ ଏଲିଫ୍ୟାଣ୍ଟ ରେସ୍କ୍ୟୁ ଟ୍ରକ୍ ? କେଉଁ ପରିସ୍ଥିତିରେ ଏହାର ବ୍ୟବହାର ହେବ ? ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତୀଶ କୁମାର କହିଛନ୍ତି, ରାଜ୍ୟରେ ଥିବା ମୋଟ ୨ ହଜାର ହାତୀଙ୍କ ମଧ୍ୟରୁ ପ୍ରାୟ ୩୫% ହାତୀ କେବଳ ଅନୁଗୁଳ-ଢେଙ୍କାନାଳ-ଆଠଗଡ଼ ଲ୍ୟାଣ୍ଡସ୍କେପ୍‌ରେ ଅଛନ୍ତି । ଯେଉଁଥିପାଇଁ ଏହି ଅଞ୍ଚଳରେ ହାତୀ- ମଣିଷ ବିବାଦ ବଢ଼ୁଛି। ଉଭୟ ହାତୀ ଓ ଲୋକଙ୍କ ଜୀବନ ଯାଉଛି। ବିଭିନ୍ନ କାରଣରୁ କେବଳ ସାତକୋଶିଆ ବନଖଣ୍ଡରେ ୩୦ରୁ ଅଧିକ ହାତୀର ଜୀବନ ଯାଇଛି । ତେଣୁ ଏଥିରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ଆହତ ହେଉଥିବା ଅଥବା ନରହନ୍ତା ଓ ଅମାନିଆ ହାତୀଙ୍କୁ ଉଦ୍ଧାର କରି ସ୍ଥାନାନ୍ତର ପାଇଁ ଏକ ସ୍ବତନ୍ତ୍ର ଟ୍ରକ୍‌ର ଆବଶ୍ୟକତା ଥିଲା । ଆଗାମୀ ଦିନରେ ହାତୀ ମଣିଷ ଲଢ଼େଇ ରୋକିବାରେ ଏହି ଯାନ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।