କନକ ବ୍ୟୁରୋ : ମାଓବାଦୀଙ୍କ ମୂଳପୋଛ ଲାଗି ଛତିଶଗଡ଼ରେ ପ୍ରଚଣ୍ଡ ପ୍ରହାର , ଓଡ଼ିଶା ମୁହାଁ ହୋଇଛନ୍ତି ମାଓବାଦୀ । ଛତିଶଗଡ଼କୁ ଲାଗିଥିବା ବରଗଡ଼ ଜଙ୍ଗଲ ଦେଇ ଓଡ଼ିଶା ଭିତରକୁ ଚାଲି ଆସିଛନ୍ତି ମାଓବାଦୀ । ସୂଚନା ଅନୁସାରେ ସୋନପୁର, ବୌଦ୍ଧ, ରେଢ଼ାଖୋଲ ଅଞ୍ଚଳର ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲୁଚି ରହିଛନ୍ତି ମାଓବାଦୀ । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଚାରମାଳ ଜଙ୍ଗଲ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ । ଚାରମାଲ ଥାନା ବଡମାଲ ଫାଣ୍ଡି ଅଞ୍ଚଳରେ ପୁଲିସ ଗତିବିଧି ବଢ଼ାଇଛି । ଅଧିକ ସଂଖ୍ୟାରେ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ପୂର୍ବରୁ ସମ୍ବଲପୁରର ନାକଟିଦେଉଳ, ଜୁଜୁମୁରା ଅଞ୍ଚଳରେ ମାଓବାଦୀ ବେଶ୍ ସକ୍ରିୟ ଥିଲେ। ଉଭୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ପଟୁ ଏହି ଅଞ୍ଚଳ ଦେଇ ବାଟ ଥିବାରୁ ମାଓବାଦୀଙ୍କ ପାଇଁ ଯିବା ଆସିବାର ରାସ୍ତା ପାଲଟିଥିଲା । ହେଲେ ଏବେ କେଉଁ ସଂଗଠନ ସକ୍ରିୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଉଭୟ ଜଙ୍ଗଲରେ ଜାରି ରହିଛି କୁମ୍ବିଂ ଅପରେସନ । 

Advertisment

ମାଓବାଦୀ ବାରୁଦ ଲୁଟି ନେବା ପରେ ସରଣ୍ଡା ଜଙ୍ଗଲରେ ଚାଲିଛି ଜୋରଦାର କୁମ୍ବିଂ । ମାଓବାଦୀଙ୍କୁ ମାରିବା ସହ ଲୁଟିଥିବା ଅବଶିଷ୍ଟ ବିସ୍ଫୋରକକୁ ଧରିବା ପାଇଁ ଜଙ୍ଗଲ ଭିତରେ ଘାଣ୍ଟୁଛନ୍ତି CRPF ଓ DVF । ସର୍ଚ୍ଚ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ଭିତରୁ ଆଉ କିଛି ବିସ୍ଫୋରକ ଉଦ୍ଧାର ହୋଇଛି । ଏପଟେ ଦୁଇ ଦିନ ଧରି ଶ୍ରବଣ ଅଗ୍ରୱାଲ ଓ ନିକିତା ଅଗ୍ରୱାଲଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଶ୍ରବଣଙ୍କୁ ଏକା ଜେରା କରିବା ସହ ନିକିତାଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିଛନ୍ତି ଏସଆଇଟି ଓ ଜିଏସଟି ଅଧିକାରୀ । ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିନା କାଗଜପତ୍ରରେ ବାରୁଦ କାରବାର କରୁଥିବା ମାନିଛି ଶ୍ରବଣ ଅଗ୍ରୱାଲ । ଏସଓପି କାହିଁକି ପାଳନ କରିନଥିଲେ ସେ ନେଇ ସ୍ପଷ୍ଟ ଉତ୍ତର ଦେଇପାରିନି । ପୂର୍ବରୁ ବିସ୍ଫୋରକ ମଗାଇଥିଲେ ବୋଲି କହିଛନ୍ତି ନିକିତା ।