କନକ ବ୍ୟୁରୋ : ଫି ବର୍ଷ ଅସର୍ ରିପୋର୍ଟ ବଖାଣୁଛି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସେବେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ବିଧାନସଭାରେ ବୟାନବାଜି ଚାଲୁଛି । ଯଦି ଶୈଶବ ଅର୍ଥାତ୍ ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷା ସହିତ ସାଲିସ ହୁଏ, ତେବେ ପରିଣାମ ଆଉ କ’ଣ ହୁଅନ୍ତା !
ଗାଁ କୋଠଘର ଅଥବା ୟୁଥ୍ କ୍ଲବ୍ରେ ପଡ଼ୁଛି ଦେଶର ଭବିଷ୍ୟତ ନାଗରିକଙ୍କ ମୂଳଦୁଆ । ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର ବଖାଣୁଛି ରାଜ୍ୟରେ ଶୈଶବ ଶିକ୍ଷାର ବାସ୍ତବ ଚିତ୍ର । ଚାଲିଛି, ବଡ଼କେରା ପଞ୍ଚାୟତ ଚଷାସାହିରେ ଅଙ୍ଗନବାଡ଼ି ପାଠପଢ଼ା । ଗାଁ କୋଠଘରେ ଚାଲିଛି ପାଠପଢ଼ା, ଆଉ ବାରଣ୍ଡାରେ ବୟସ୍କ ଲୋକଙ୍କ ଆସର । ଏଇଥିପାଇଁ ଯେ ଏଠି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ । ପିଇବା ପାଣି, ପାଇଖାନା, ବିଜୁଳି ଦୂରର କଥା; ଅନ୍ୟ ଜଣଙ୍କ ଘରେ ରୋଷେଇ ହୋଇ ଆସିଲେ, ପିଲାଙ୍କୁ ଦିଆଯାଏ ଖାଦ୍ୟ । ସେଇ ପଞ୍ଚାୟତର ଚମ୍ପତ୍ତିମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ଚିତ୍ର ବି ଭିନ୍ନ ନୁହେଁ । କେବଳ ଗୋଟିଏ ପଞ୍ଚାୟତ ନୁହେଁ, ତୁମୁଣି, ମାଣିକଯୋଡ଼ି ଅଙ୍ଗନବାଡ଼ି କେନ୍ଦ୍ର ସ୍ଥିତି ବି ସମାନ । ଯେଉଁ ଘରେ ପାଠ ପଢ଼ୁଛନ୍ତି, ସେହି ଘରେ ଚାଲିଛି ରୋଷେଇ । ପିଲାଙ୍କ ଜୀବନ ସହିତ ଚାଲିଛି ଏମିତି ଖେଳ ।
ଅନୁଗୁଳ ଜିଲ୍ଲାରେ ରହିଛି ୧ ହଜାର ୬୮୯ଟି ଅଙ୍ଗନବାଡ଼ି କେନ୍ଦ୍ର । ନିଜସ୍ୱ ଘର ଥିବା ଅଙ୍ଗନବାଡି ସଂଖ୍ୟା ୧ ହଜାର ୩୦୬ । ୩୮୩ଟି ବା ପ୍ରାୟ ୨୩ ଭାଗ ଅଙ୍ଗନବାଡ଼ି କେନ୍ଦ୍ରର ଘର ନାହିଁ । ୫୪୩ଟି ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ରୋଷେଇ ଘର । ଦୁଇ ତୃତୀୟାଂଶ ବା ୧ ହଜାର ୩୭ଟି ଅଙ୍ଗନବାଡ଼ିରେ ନାହିଁ ପାଇଖାନା । ୫୨୩ଟି ଅଙ୍ଗନବାଡ଼ିକୁ ଅପହଞ୍ଚ ବିଜୁଳି । ଅନୁଗୁଳ ଜିଲ୍ଲାପାଳ କହିଛନ୍ତି, ଏସବୁ ଆମ ନଜରରେ ଅଛି । ଡିଏମ୍ଏଫ୍ ପାଣ୍ଠି ସହାୟତାରେ ଖୁବ୍ ଶୀଘ୍ର ଏ ଭିତ୍ତିଭୂମି ନିର୍ମାଣ କରାଯିବ ।
ରାଜ୍ୟ ସରକାର ବିକଶିତ ଓଡ଼ିଶାର ନକ୍ସା ଆଙ୍କୁଛନ୍ତି । ଅଥଚ ଅନୁଗୁଳର ଚିତ୍ର କହୁଛି ଯେ ରାଜ୍ୟର ଭବିଷ୍ୟତ ସହିତ ଚାଲିଛି ବୁଝାମଣା । ଯଦି ଶିଳ୍ପ ସମୃଦ୍ଧ ଅନୁଗୁଳ ଚିତ୍ର ଏମିତି, ତେବେ ଉପାନ୍ତର ଚିତ୍ର କେତେ ସାଂଘାତିକ ହୋଇଥିବ, ତାହା ଅନୁମେୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/29/odisha-education-system-2025-10-29-21-16-31.jpg)