କନକ ବ୍ୟୁରୋ : ଭରତପୁର ଥାନାରେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀ ବିବାଦ ଘଟଣାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଖୁବ ଶୀଘ୍ର ଭରତପୁର ଥାନାର ସମସ୍ତ ନିଲମ୍ୱିତ ପୋଲିସ ଅଧିକାରୀଙ୍କୁ ନେଇ ଗୁଜୁରାଟ ଯିବ । ଅନ୍ୟପଟେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଲମ୍ବିତ ପୋଲିସଙ୍କ ପରିବାର ।

Advertisment

ସେଦିନ ରାତିରେ ଭରତପୁର ଥାନାରେ କଣ ଘଟିଥିଲା ? ଜାଣିବା ପାଇଁ ପୁର୍ବରୁ କେବଳ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଙ୍ଗ ଟେଷ୍ଟ ହେବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତ ଏବେ ସେଦିନ ରାତିରେ ଥାନା ଭିତରେ ଥିବା ଅନ୍ୟ ଚାରିଜଣ ପୋଲିସ ଅଧିକାରୀଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଇବ କ୍ରାଇମବ୍ରାଞ୍ଚ ।

ଗୋଟିଏ ପଟେ କ୍ୟାପଟେନ ଓ ତାଙ୍କ ବାନ୍ଧବୀ ଭରତପୁର ଥାନାର ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ଚାରିଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଥାନା ଭିତରେ ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ନିଜ ଉପରୁ ଦୋଷ ଛଡାଇବାକୁ ଉଦ୍ୟମ କରୁଛି କମିଶନରେଟ ପୋଲିସ । ଏହାରି ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଲମ୍ବିତ ପୋଲିସ ଅଧିକାରୀଙ୍କ ପରିବାର । ପୀଡିତା କୋର୍ଟ ଅବମାନନା କରିଥିବା ଆଣିଛନ୍ତି ଅଭିଯୋଗ ।

ଗୁରୁତ୍ୱପୁର୍ଣ କଥା ହେଉଛି ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଙ୍ଗ ଟେଷ୍ଟ କରାଯିବା ପରେ ଏ ପୁରା ଘଟଣାରେ ଭରତପୁର ଥାନା ପୋଲିସର ଭୂମିକା ଓ ବୟାନର ସତ୍ୟତା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ତେବେ ପ୍ରଶ୍ନ ଉଠୁଛି,

-ପୀଡିତା ଓ କ୍ୟାପଟେନଙ୍କ ପଲିଗ୍ରାଫ,ନାର୍କୋ,ବ୍ରେନ ମ୍ୟାପିଂ ଟେଷ୍ଟ କାହିଁକି କରୁନି କ୍ରାଇମବ୍ରାଞ୍ଚ? 
-ପୀଡିତା ଓ କ୍ୟାପଟେନଙ୍କ ବୟାନକୁ ସତ ମାନି ନେଇଛି କି ତଦନ୍ତକାରି ସଂସ୍ଥା? 
-ତଦନ୍ତ ଶେଷ କରି ପ୍ରକୃତ ସତ ସାମନାକୁ ଆଣିବାକୁ ଆଉ କେତେଦିନ ନେବ କ୍ରାଇମବ୍ରାଞ୍ଚ?