କନକ ବ୍ୟୁରୋ: ଖାଁ ଖାଁ ପଡିଥିବା କଂଗ୍ରେସ ଭବନରେ ଏବେ ଲାଗିବ ନେତା ଓ କର୍ମୀଙ୍କ ଭିଡ। ନିଜର ରିପୋର୍ଟ କାର୍ଡ ଧରି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ପିସିସି ସଭାପତି ରେସରେ ଥିବା ଆଶାୟୀ। ମୁରୁବୀଶୂନ୍ୟ କଂଗ୍ରେସର ମଙ୍ଗୁଆଳ ଖୋଜା ପ୍ରକ୍ରିୟା ଆରମ୍ଭ କରିବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିବା ପରେ ଏବେ କଂଗ୍ରେସ ଭବନରେ ଗହଳି ଚହଳି ବଢିବା ଆରମ୍ଭ ହୋଇଛି।
ମଙ୍ଗୁଆଳ ବାଛିବା ପୂର୍ବରୁ ଗ୍ରାଉଣ୍ଡ ରିପୋର୍ଟ ଚାହୁଁଛି ଏଆଇସିସି। ଏଥିପାଇଁ ଛତିଶଗଡର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଦାୟିତ୍ବ ମିଳିଛି। ଆସନ୍ତା ସପ୍ତାହରେ ଚରଣ ଓଡ଼ିଶା ଆସି ସାଙ୍ଗଠନିକ ସ୍ଥିତି ଓ ନେତୃତ୍ବକୁ ନେଇ ଦଳୀୟ ନେତାଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରିବେ। ସଭାପତି ଚୟନରେ ସ୍ବଚ୍ଛତା ରଖିବାକୁ ଏଭଳି ନିଷ୍ପତ୍ତି ନେଇଛି ଏଆଇସିସି।
ଓଡ଼ିଶା ପାଇଁ ପିସିସି ସଭାପତି ଖୋଜିବାକୁ କଂଗ୍ରେସ ୩ ମାସରୁ ଅଧିକ ସମୟ ନେଇ ସାରିଲାଣି। ଏହା ଭିତରେ ମହମ୍ମଦ ମୋକ୍କିମ, ଭକ୍ତ ଦାସ, ଶ୍ରୀକାନ୍ତ ଜେନାଙ୍କ ଭଳି ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଛି। କିନ୍ତୁ ହରିୟାଣା ପରାଜୟ ପରେ ହାଇକମାଣ୍ଡଙ୍କ ଚେତା ପଶିଛି। ଦଳକୁ ସଭାପତି ଶୂନ୍ୟ କରି ସଙ୍ଗଠନକୁ ଆଉ ଦୁର୍ବଳ କରିବାକୁ ଚାହୁଁନାହାନ୍ତି ଦିଲ୍ଲୀ ନେତୃତ୍ବ। ରାଜନୈତିକ ହଟଚମଟ ଭିତରେ ଓଡ଼ିଶାରେ ସଙ୍ଗଠନକୁ ବିସ୍ତାର କରିବାର ସୁଯୋଗ ଥିବାରୁ ଶୁଭ ଦୀପାବଳିରୁ କଂଗ୍ରେସ ହାତମୁଠାକୁ ଟାଣ କରିବାର ଶୁଭାରମ୍ଭ କରିପାରନ୍ତି ହାଇକମାଣ୍ଡ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଏବେ ଗୋଟିଏ ଚର୍ଚ୍ଚା, କାହା ହାତରେ ହାଇକମାଣ୍ଡ ଦେବେ ଓଡ଼ିଶା କଂଗ୍ରେସର ନେତୃତ୍ବ? ଯୁବ, ସାଙ୍ଗଠନିକ ଦକ୍ଷତା ଓ ସମସ୍ତଙ୍କୁ ନେଇ ଆଗକୁ ବଢିପାରୁଥିବା ନେତା ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ବୋଲି ଚର୍ଚ୍ଚା ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/18/of71KA7LK8krohD4UYYF.jpg)