କନକ ବ୍ୟୁରୋ: ଭୁବନେଶ୍ୱରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । କେନ୍ଦ୍ର ସରକାର ଇଡି ଓ ସିବିଆଇକୁ ବ୍ୟବହାର କରୁଥିବା ଅଭିଯୋଗରେ ଇଡି ଅଫିସ ଘେରାଉ କରିଛି କଂଗ୍ରେସ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୪ ନିର୍ବାଚନ ପରେ କଂଗ୍ରେସର ସବୁ ହେଭିୱେଟ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ତେଣୁ ପ୍ରଶ୍ନ ଉଠୁଛି, ଆଗକୁ ଏକାଠି ହେବେ କି ନେତା ।
- ଇଡି ଅଫିସ ସାମ୍ନାରେ କଂଗ୍ରେସର ରଣହୁଙ୍କାର
- ମିଶିଲା ମନ, ଏକାଠି ହେଲା ‘ହାତ’
କେନ୍ଦ୍ରର ହାତବାରିସି ସାଜିଛି ଇଡି ଓ ସିବିଆଇ। ଏଭଳି ଅଭିଯୋଗ ଆଣି ଆଜି ଭୁବନେଶ୍ୱର ଇଡି ଅଫିସ ସାମ୍ନାରେ ଗର୍ଜନ ତର୍ଜନ କରିଛି କଂଗ୍ରେସ। ହିଡେନବର୍ଗ ରିପୋର୍ଟକୁ ନେଇ ସେବି ଅଧ୍ୟକ୍ଷା ମାଧବୀ ପୁରୀଙ୍କ ଇସ୍ତଫା ଦାବି କରିଛନ୍ତି ନେତା। ଏହି ଆଳରେ କିନ୍ତୁ ଏକାଠି ହୋଇଛି କଂଗ୍ରେସ। ୨୦୨୪ ନିର୍ବାଚନ ପରେ ପ୍ରଥମ ଥର ପାଇଁ କଂଗ୍ରେସର ସବୁ ହେଭିୱେଟ ଗୋଟିଏ ଟେଣ୍ଟ ତଳେ ଏକାଠି ବସିଛନ୍ତି। ଗୋଟିଏ ସ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ପ୍ରମୁଖ କେନ୍ଦ୍ରୀୟ ନେତା ଓ ତଦନ୍ତକାରୀ ସଂସ୍ଥା ବିରୋଧରେ ବିଷୋଦଗାର କରିଛନ୍ତି। ଦଳର ସବୁ ନେତା ନିଜର ଦବଦବା ଜାହିର କରିବାକୁ ଆନ୍ଦୋଳନର ଶେଷ ଯାଏଁ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।
- ଇଡି ଅଫିସ ସାମ୍ନାରେ ଅଜୟଙ୍କ ଅଭୟବାଣୀ
- ୨୦୨୯ରେ ଆପନା ଟାଇମ୍ ଆୟେଗା
ତେବେ ନେତୃତ୍ୱବିହୀନ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ପ୍ରଭାରୀଙ୍କ ଦମ୍ଭୋକ୍ତି ରାଜ୍ୟ କଂଗ୍ରେସର କର୍ମୀଙ୍କ ମନରେ ଜୋଶ ଭରିଛି। ଏଥିସହିତ ଏହି ସମାବେଶ କଂଗ୍ରେସର ନୂଆ ସମୀକରଣକୁ ମଧ୍ୟ ଜନ୍ମ ଦେଇଛି। ଅଲକ୍ଷ୍ୟରେ ସାମ୍ନାକୁ ଚାଲିଆସିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକ୍କିମ। ମଞ୍ଚ ପରିଚାଳନା ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମକୁ ସଫଳ କରିବା ପଛରେ କାମ କରିଛି ମୋକ୍କିମଙ୍କ ରଣନୀତି। ସମ୍ଭବତଃ ମୋକ୍କିମଙ୍କୁ ସାମ୍ନାରେ ରଖି ଅଜୟ କୁମାର କଂଗ୍ରେସର ଆଗାମୀ ଭବିଷ୍ୟତ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ବଢିଛି।
ଇଡି ବିରୋଧରେ ଓଡ଼ିଶାରେ କଂଗ୍ରେସର ଏହି ଗର୍ଜନ ରାଜ୍ୟ କଂଗ୍ରେସକୁ ସେତେଟା ଫାଇଦା ଦେବନି ସତ। କିନ୍ତୁ ଏହି କାର୍ଯ୍ୟକ୍ରମ, ଦିଶାହୀନ କଂଗ୍ରେସ ପାଇଁ ଆଗକୁ ବଢିବାକୁ ବାଟ ଖୋଲିଛି। ସଭାପତି ବିହୀନ କଂଗ୍ରେସର କମାଣ୍ଡ ପ୍ରଭାରୀ ନିଜେ ଧରିଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବେ ମୋକ୍କିମଙ୍କ ଅଧିକ ସକ୍ରିୟତା ପିସିସି ସଭାପତି ରେସରେ ତାଙ୍କୁ ଆଗରେ ରଖିବ ବୋଲି ଚର୍ଚ୍ଚା ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)