କନକ ବ୍ୟୁରୋ: ପାଖାପାଖି ମାସକ ପୂର୍ବରୁ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଇଡି ଓ ସିବିଆଇ ଡରାଉଛି କହି ରାସ୍ତାକୁ ଓହ୍ଳାଇଥିଲା କଂଗ୍ରେସ। ଇତିମଧ୍ୟରେ ରାଜ୍ୟରେ ଲୋକଙ୍କ ସ୍ବାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗ ଉଠିଥିଲେ ମଧ୍ୟ ନେତାଙ୍କ ପାଟି ଫିଟୁନଥିଲା। ଏବେ ରାହୁଲଙ୍କ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଲା, ଆଉ କଂଗ୍ରେସ ଓହ୍ଲାଇଲା ରାସ୍ତାକୁ। ଉପରୁ ନିର୍ଦ୍ଦେଶ ଆସିଲା, ନେତା ରାଜଧାନୀ କମ୍ପାଇଦେଲେ। ବିଜେପିକୁ ଟାର୍ଗେଟ କରି କଲେ ଗର୍ଜନ ତର୍ଜନ। ବିଜେପିର ଯୁକ୍ତି, ଆମେ କଂଗ୍ରେସ ଭଳି ନୁହେଁ।
ନେତୃତ୍ବବିହୀନ କଂଗ୍ରେସ କାର୍ଯ୍ୟାଳୟ ସବୁଦିନ ଖାଁ ଖାଁ। ନେତାଙ୍କ ପାଦ ପଡୁନି, କର୍ମୀଙ୍କ ଭିତରେ ବି ଜୋଶ ନାହିଁ। କିନ୍ତୁ ରାହୁଲଙ୍କ ପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଥିଲା କଂଗ୍ରେସ ଭବନ। ଯେହେତୁ ପିସିସି ସଭାପତି ପଦ ଝୁଲି ରହିଛି ଏବଂ ଏହି ପଦରେ କିଏ ବସିବ ସେ ନିଷ୍ପତ୍ତି ହାଇକମାଣ୍ଡଙ୍କ ପାଖରେ ଅଟକିଛି। ତେଣୁ ଆଜିର ଆନ୍ଦୋଳନ ଆଳରେ ସବୁ ତୁଙ୍ଗ ନେତା ନିଜ ଉପସ୍ଥାନ ରଖି ବାର୍ତ୍ତା ଦେବାକୁ ଚାହିଁଛନ୍ତି, ସେମାନେ ବି ହାଇକମାଣ୍ଡଙ୍କ ସହ ଅଛନ୍ତି ଏବଂ କଂଗ୍ରେସରେ ସକ୍ରିୟ ଅଛନ୍ତି। ହେଲେ ସଂକେତ ମିଳୁଛି, ପୂର୍ବ ଭଳି ଏଥର ବି ମୋକିମଙ୍କୁ ଆଗରେ ରଖି ଶୀର୍ଷ ନେତୃତ୍ବ ଗୋଟିଚାଳନା କରିଛନ୍ତି।
ଦୁଇ ଦୁଇଟି ପରୀକ୍ଷା ନେବା ପରେ କଂଗ୍ରେସ ହାଇକମାଣ୍ଡ ସଂକେତ ପାଇଲେଣି କାହାକୁ ନେଇ ଓଡ଼ିଶାରେ ଆଗକୁ ବଢିବେ। ସମ୍ଭବତଃ ଏହି ମାସ ଶେଷରେ ମୁଖିଆ ପାଇପାରେ ରାଜ୍ୟ କଂଗ୍ରେସ। ମୋକିମ ସଭାପତି ହେବେ ନା ରାହୁଲ ରାଜ୍ୟ କଂଗ୍ରେସକୁ ନୂଆ ଚେହେରା ଆଣି ସରପ୍ରାଇଜ ଦେବେ ତାହା ଉପରେ ରହିଛି ନଜର।