କନକ ବ୍ୟୁରୋ: ସାଧାରଣ ନିର୍ବାଚନର ପ୍ରାୟ ୮ ମାସ ପରେ, ଓଡ଼ିଶା କଂଗ୍ରେସକୁ ମିଳିଛି ନୂଆ ମୁଖିଆ । ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ମୁଖିଆ ଭାବେ ଦାୟିତ୍ୱ ଦେଇଛନ୍ତି ପାର୍ଟି ହାଇକମାଣ୍ଡ । ତେବେ ଦୀର୍ଘ ଦିନ ହେଲା ମୁରବୀବିହୀନ ହେଇପଡିଥିବା ହାତ ଦଳକୁ ମିଳିଛି ଭକ୍ତ ଦାସଙ୍କ ନାଁରେ ନୂଆ ମଙ୍ଗୁଆଳ । ଯାହାଙ୍କୁ ଭରସା କରି, ରଣନୀତି ପ୍ରସ୍ତୁତ କରି ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବ ଓଡ଼ିଶା କଂଗ୍ରେସ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ବର୍ଷ ଧରି ଓଡ଼ିଶାରେ ସତ୍ତାରେ ଥିବା କଂଗ୍ରେସ ଏବେ ଏକବିଂଶ ଶତାବ୍ଦୀ ପରଠାରୁ ଓଡିଶାର ସତ୍ତାରୁ ବହୁ ଦୂରରେ । ଏଭଳି ସମୟରେ ଭକ୍ତ ଦାସ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ କେମିତି ଆଗକୁ ବଢିବେ ତାହା ସବୁଠୁ ଆଲୋଚନାର ବିଷୟ ।

Advertisment

୧୯୨୦ ମସିହାରୁ ଆଜି ଭିତରେ ଓଡ଼ିଶା କଂଗ୍ରେସ ମୋଟ ୧୪ ଜଣ ସଭାପତିଙ୍କୁ ଦେଖିଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ କେବେ ଆରମ୍ଭ ହୋଇଥିବା ଏହି ଲିଷ୍ଟ, ଏବେ ଭକ୍ତ ଚରଣ ଦାସଙ୍କ ପାଖରେ ପହଞ୍ଚିଛି । ଜାଣିରଖିବା ଉଚିତ୍ ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ଥିଲେ ଗୋପବନ୍ଧୁ ଦାସ । ଆଉ ଏବେ ୧୪ ତମ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି ଭକ୍ତ ଚରଣ ଦାସ ।

Congress to announce first list of candidates for Odisha by April first  week - OrissaPOST

୧୯୨୦ ମସିହା ପର୍ୟ୍ୟନ୍ତ ଓଡ଼ିଶା ପାଇଁ କଂଗ୍ରେସର କୌଣସି ଅଲଗା ପ୍ରାଦେଶିକ କମିଟି ନଥିଲା । ୧୯୨୦ ମସିହା ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ପରେ ପରେ, ଓଡ଼ିଶାରେ ଗଢାଯାଇଥିଲା ପୃଥକ ପ୍ରାଦେଶିକ କଂଗ୍ରେସ କମିଟି । ଯାହାର ପ୍ରଥମ ସଭାପତି ହେଇଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ସେ ୧୯୨୦ ମସିହାରେ ୧୯୨୮ ମସିହା ପର୍ୟ୍ୟନ୍ତ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହାପରେ ପରେ ୧୯୩୦ରୁ ୩୧ ମସିହା ପର୍ୟ୍ୟନ୍ତ ହରେକୃଷ୍ଣ ମହତାବ, ୧୯୩୪ରୁ ୧୯୩୯ ପର୍ୟ୍ୟନ୍ତ ନୀଳକଣ୍ଠ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ରହିଥିଲେ । ତେବେ ଦେଶ ସ୍ୱାଧୀନତା ଲାଭ କରିବା ପରେ, ଓଡିଶା ପ୍ରଦେଶର ପ୍ରଥମ ସଭାପତି ହେଇଥିଲେ ବନମାଳୀ ପଟ୍ଟନାୟକ । ତା ପରେ ନୀଳମଣି ରାଉତରାୟ, ନିତ୍ୟାନନ୍ଦ ମିଶ୍ର ଆଉ ଗିରିଧର ଗମାଙ୍ଗଙ୍କ ନେତୃତ୍ୱରେ ଆଗକୁ ବଢିଥିଲା ଓଡ଼ିଶା କଂଗ୍ରେସ ।

Former Odisha CM Janaki Ballabh Patnaik passes away

ଏକବିଂଶ ଶତାବ୍ଦୀର ଆରମ୍ଭ ସହିତ ରାଜ୍ୟ କଂଗ୍ରେସର କମାଣ ସମ୍ଭାଳିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ୨୦୦୦ ମସିହାରୁ ୨୦୦୧ ଏବଂ ୨୦୦୪ ମସିହାରେ ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ । ଏହା ମଝିରେ ୨୦୦୧ ମସିହାରୁ ୨୦୦୪ ମସିହା ପର୍ୟ୍ୟନ୍ତ ଶରତ ପଟ୍ଟନାୟକ ଏହି ଦାୟିତ୍ୱରେ ରହିଥିଲେ ।

୨୦୦୪ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ, ଦୀର୍ଘ ବର୍ଷ ଧରି ରାଜ୍ୟ କଂଗ୍ରେସର କମାଣ ରହିଥିଲା ଜୟଦେବ ଜେନାଙ୍କ ପାଖରେ । ୪ ବର୍ଷରୁ ଅଧିକ ସମୟ ଧରି ସେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ । ତାଙ୍କ ପରେ ଅଳ୍ପ ସମୟ ପାଇଁ ଏହି ଦାୟିତ୍ୱ କାମାକ୍ଷା ପ୍ରସାଦ ସିଂଦେଓ ଆଉ ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ ବି, ପୁଣିଥରେ ୨୦୧୪ ମସିହାରେ ପିସିସି ମୁଖିଆ ହେଇଥିଲେ ଜୟଦେବ ।

କାମାକ୍ଷା ପ୍ରସାଦ ସିଂହଦେଓ ୨ ବର୍ଷ ୧୩୦ ଦିନ, ନିରଞ୍ଜନ ପଟ୍ଟନାୟକ ୨୦୧୧ରୁ ୨୦୧୩ ମସିହା ପର୍ୟ୍ୟନ୍ତ ଓଡ଼ିଶା କଂଗ୍ରେସର ସଭାପତି ରହିଥିଲେ । ତାଙ୍କ ପରେ ଜୟଦେବ ଜେନା ସଭାପତି, ଆଉ ପରେ ପରେ ପ୍ରସାଦ ହରିଚନ୍ଦନଙ୍କ ହାତକୁ ଆସିଥିଲା କଂଗ୍ରେସର ମୁଖିଆ ପଦ । ୨୦୧୪ରୁ ୨୦୧୮ ମସିହା ପର୍ୟ୍ୟନ୍ତ ତାଙ୍କରି ନେତୃତ୍ୱରେ ଲଢିଥିଲା କଂଗ୍ରେସ ।

Prasad Kumar Harichandan - Wikipedia

ପ୍ରସାଦ ହରିଚନ୍ଦନଙ୍କ ପରେ ଓଡ଼ିଶା କଂଗ୍ରେସର ନେତୃତ୍ୱ ପୁଣିଥରେ ଫେରିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ । ପୂର୍ବରୁ ମଧ୍ୟ ଏହି ଦାୟିତ୍ୱରେ ରହି ସାରିଥିବା ନିରଞ୍ଜନ, ପୁଣିଥରେ ୨୦୧୮ ମସିହାରୁ ୨୦୨୨ ମସିହା ପର୍ୟ୍ୟନ୍ତ ଦୀର୍ଘ ୪ ବର୍ଷରୁ ଅଧିକ କାଳ ଧରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିଲେ । ତାଙ୍କ ପରେ ଶରତ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ହେଲେ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, ଦଳର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ପାର୍ଟି ହାଇକମାଣ୍ଡ ।

Congress appoints Bhakta Charan Das as campaign head for Odisha - The Hindu

ଶରତଙ୍କ ପରେ ଦୀର୍ଘ ୮ ମାସ ହେଲା କଂଗ୍ରେସ ମୁଖିଆ ପଦ ଖାଲି ପଡିଥିଲା । ଏହି ପଦ ପାଇଁ ରେସରେ ଅନେକ ନେତା ଥିଲେ ବି, ଶେଷରେ କିନ୍ତୁ ବାଜି ମାରିନେଇଥିଲେ ଭକ୍ତ ଦାସ । ଖାସ୍ କରି ମହମ୍ମଦ ମୋକିମ୍, ତାରା ବାହିନୀପତି, ସପ୍ତଗିରି ଉଲ୍ଲାକାଙ୍କ ଭଳି ନେତା ପ୍ରଦେଶ କଂଗ୍ରେସ ସଭାପତି ହେବାକୁ ମନ ବଳାଇଥିଲେ ବି, ଶେଷରେ କିନ୍ତୁ ଭକ୍ତ ଦାସଙ୍କ ଉପରେ ଭରସା କରିଛନ୍ତି ପାର୍ଟି ହାଇକମାଣ୍ଡ ।

ଦୀର୍ଘ ବର୍ଷର ରାଜନୈତିକ ଇତିହାସ ଭିତରେ, ଓଡ଼ିଶା କଂଗ୍ରେସ ଭିନ୍ନ ଭିନ୍ନ ସଭାପତିଙ୍କୁ ନେଇ ଆଗକୁ ବଢିଛି, ଆଉ ନିର୍ବାଚନକୁ ସାମ୍ନା ମଧ୍ୟ କରିଛି । ତେଣୁ ଦେଖିବା ବାକି ରହିଲା, ଭକ୍ତ ଦାସଙ୍କ ନେତୃତ୍ୱରେ କେମିତି ପଞ୍ଚାୟତ ନିର୍ବାଚନକୁ ସାମ୍ନା କରୁଛି ଓଡ଼ିଶା କଂଗ୍ରେସ ।