ଦୀର୍ଘ ୮ ମାସ ପରେ ଓଡ଼ିଶା ପାଇଁ ଭକ୍ତଙ୍କୁ ଭରସିଛି କଂଗ୍ରେସ । ତୃଣମୂଳସ୍ତରରେ କର୍ମୀ ହତାଶ, ସଙ୍ଗଠନ ଦୁର୍ବଳ । ଦଳୀୟ ନେତାଙ୍କ ଭିତରେ ଗୋଡ ଟଣାଟଣି ଭିତରେ ଭକ୍ତ ପାଇଛନ୍ତି ପିସିସି ସଭାପତି ପଦ । ଦିଲ୍ଲୀରୁ ଭକ୍ତଙ୍କୁ ପଦ ମିଳିଛି ସତ କିନ୍ତୁ ଓଡ଼ିଶାରେ ନୂଆ ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ ଅନେକ । ୨୫ ବର୍ଷ ଧରି କ୍ଷମତାରୁ ଦୂରରେ ଥିବା କଂଗ୍ରେସର ହାତକୁ ପୁଣିଥରେ ଉଠାଇବାକୁ ଭକ୍ତଙ୍କୁ ବେଶ କସରତ କରିବାକୁ ପଡିବ । 

Advertisment

ଭକ୍ତଙ୍କ ପାଇଁ ଚ୍ୟାଲେଞ୍ଜ କ’ଣ? 
 -ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳକୁ ସଫଳତା ଦେବା
-    ଦଳରେ ଥିବା କନ୍ଦଳକୁ ଦୂର କରି ସଂଗଠନକୁ ସଂଗଠିତ କରିବା
-    ମହିଳା, ଯୁବ ଓ ଛାତ୍ରଙ୍କ ମଧ୍ୟରେ ସମନ୍ବୟ 
-    ଦଳ ପାଇଁ ପାଣ୍ଠି ଯୋଗାଡ଼ କରିବା
-    ଦଳ ଛାଡ଼ିଥିବା କର୍ମୀଙ୍କୁ କଂଗ୍ରେସମୁହାଁ କରାଇବା
-    ଦଳକୁ ନେଇ ଲୋକଙ୍କ ବିଶ୍ବାସ ଜିତିବା
ଓଡ଼ିଶାରେ କଂଗ୍ରେସର ପୁଞ୍ଜି କହିଲେ ୧୩% ଭୋଟ। ଯାହାକୁ ନେଇ ଆଗକୁ ବଢିବାକୁ କହିଛନ୍ତି ଭକ୍ତ ଦାସ। 

କଂଗ୍ରେସ ପାଇବ ନୂଆ ପ୍ରଭାରୀ!
ଗତ ନିର୍ବାଚନରେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବରେ ଥିବା ବେଳେ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ ଭକ୍ତ । ଏବେ ସଭାପତି ଦାୟିତ୍ବ ପାଇବା ପରେ ପ୍ରଭାରୀଙ୍କୁ ଓଡ଼ିଶା ଦାୟିତ୍ବରୁ ମୁକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ସମୟରେ ପ୍ରଭାରୀ ନିଲମ୍ବିତ କରିଥିବା ନେତାଙ୍କୁ ଦଳକୁ ଫେରାଇ ଆଣି ଏହାର ସଂକେତ ଦେଇଛନ୍ତି ଭକ୍ତ । 

ନୂଆ ଦାୟିତ୍ବ ପାଇବା ପରେ ଆସନ୍ତା ୧୮ ତାରିଖରେ ଓଡ଼ିଶା ଫେରିବେ ଭକ୍ତ । ହେଲେ, ଅଣକଂଗ୍ରେସ ରାଜନୀତିରୁ ଆସିଥିବାରୁ ଦଳର ଗୋଟିଏ ଗୋଷ୍ଠୀ ଭକ୍ତଙ୍କ ନେତୃତ୍ବକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେଣୁ ଭକ୍ତଙ୍କୁ ସ୍ବାଗତ ପାଇଁ କିଏ କିଏ ଆସୁଛନ୍ତି ତାହା ଉପରେ ନଜର ରହିବ ।