କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି । ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ । 
Advertisment
କାହାର ଷ୍ଟାଇପେଣ୍ଡ କେତେ ବଢ଼ିଲା?
  • ପ୍ରଥମ ବର୍ଷ -୩୧ ହଜାରରୁ ୪୮ ହଜାର
  • ଦ୍ବିତୀୟ ବର୍ଷ-୩୨ ହଜାରରୁ ୫୨ ହଜାର
  • ତୃତୀୟ ବର୍ଷ- ୩୩ ହଜାରରୁ ୫୫ ହଜାର
ଏହି ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି । ପୂର୍ବରୁ ସେମାନଙ୍କ ମାସିକ ଷ୍ଟାଇପେଣ୍ଡ ୩୧ ହଜାର ଟଙ୍କା ଥିବାବେଳେ, ବର୍ତ୍ତମାନ ଏହା ୪୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ୩୨ ହଜାରରୁ ୫୨ ହଜାରକୁ ବୃଦ୍ଧି ପାଇଛି । ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି । ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ପରିମାଣ ମାସକୁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ୬୭ ପ୍ରତିଶତ ।
ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି କରାଯାଇଛି । ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ । ଏହାଦ୍ବାରା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।