କନକ ବ୍ୟୁରୋ : ଦେଶ ପାଳିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ । କୋଟିଏରୁ ଅଧିକ ଗଛ ଲଗାଇ ଜନ୍ମଦିନକୁ ଆହୁରି ସ୍ମରଣୀୟ କଲା ଓଡ଼ିଶା । ଏକାଧିକ କାର୍ଯ୍ୟକ୍ରମ ଆୟୋଜନ ସହ ସବୁଜ ଓ ସୁନ୍ଦର ପୃଥିବୀର ପରିକଳ୍ପନା କରିଛନ୍ତି ଉଭୟ ବିଜେପି ଓ ରାଜ୍ୟ ସରକାର । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଧୁମଧାମରେ ପାଳନ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ । ଏହାକୁ ସ୍ମରଣୀୟ କରିବାକୁ ଉଭୟ ଦଳୀୟ ଓ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ କରାଯାଇଛି । ପୂରା ରାଜ୍ୟବ୍ୟାପୀ ଏକ ପେଡ୍ ମା’ କି ନାମ୍ ୨.୦ କାର୍ଯ୍ୟକ୍ରମ ଜରିଆରେ ନୂଆ ଉପଲବ୍ଧି ହାସଲ କରିଛି ଓଡ଼ିଶା । ପୃଥିବୀ ଓ ପରିବେଶର ସୁରକ୍ଷା ପାଇଁ ଗୋଟିଏ ଦିନରେ କୋଟିଏରୁ ଊର୍ଦ୍ଧ୍ବ ଗଛ ଲଗାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ନେତୃବୃନ୍ଦ, ସାଧାରଣ ଲୋକ ଓ ବିଏସଏଫ ଯବାନ ବୃକ୍ଷରୋପଣ କରିବା ସହ ସବୁଜ ପୃଥିବୀ ଗଢ଼ି ତୋଳିବାକୁ ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ୧୫ ଦିନ ଧରି ସେବାପକ୍ଷ ଭାବେ ପାଳନ କରୁଛି ବିଜେପି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇ ଭୁବନେଶ୍ବର ରେଳ ଷ୍ଟେସନ ନିକଟସ୍ଥ ବସଷ୍ଟାଣ୍ଡରେ ଝାଡୁ ମାରି ରାଜ୍ୟକୁ ସ୍ବଚ୍ଛ ରଖିବାକୁ ଆହ୍ବାନ ଦେଇଛନ୍ତି । ସେହିଭଳି ପ୍ରତି ଜିଲ୍ଲା ଓ ପୌରସଂସ୍ଥାରେ ଆରମ୍ଭ ହୋଇଛି ଆବାସ ଦିବସ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହା ଜାରି ରହିବ । ଜନ୍ମଦିନରେ ରାଜ୍ୟସ୍ତରୀୟ ଆଭାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେବା ପକ୍ଷ ଚାଲୁଥିବା ଭିତରେ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ।