କନକ ବ୍ୟୁରୋ: କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି  । ଓଡ଼ିଶା ବେସାମରିକ ସେବାରେ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୩୨ ବର୍ଷ ଥିଲା । ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅର୍ଥାତ ସରକାରୀ ଚାକିରିରେ ବୟସ ସୀମାକୁ ବଢ଼ାଯାଇ ୪୨ ବର୍ଷ କରାଯାଇଛି । ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । କେବଳ ସେତିକି ନୁହେଁ ଏସସି, ଏସଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ ।

Advertisment

ଗତକାଲି ନୂଆ ଢାଞ୍ଚାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କୌଣସି  ସଚିବ କ୍ୟାବିନେଟ ବୈଠକରେ ବସିନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୫ ବଡ଼ ନିଷ୍ପତ୍ତି ନିଆଯାଇଛି । ବୟସ ସୀମାକୁ ବଢ଼ାଯିବା ସହ AI କ୍ଷେତ୍ରରେ ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯିବ । AI ନୀତିକୁ ଅନୁମୋଦନ ମିଳିଛି, ରାଜ୍ୟରେ AI ମିସନ୍ ଓ AI ସେଲ୍ ଆରମ୍ଭ କରାଯିବ । ସେହିଭଳି ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହାସହ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁରରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି, ଏଥିପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ଅନୁମୋଦନ କରିଛି କ୍ୟାବିନେଟ । ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ । ଓଡ଼ିଶା ଚକ୍ଷୁ ସେବା ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି ।