କନକ ବ୍ୟୁରୋ : ଦିଲ୍ଲୀରେ ଓଡ଼ିଶା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଫାଇଲ୍ । ଗୋଟିଏ ସମୟରେ ଦିଲ୍ଲୀରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି । ମୋହନ ଓ ମନମୋହନ ଏକା ସମୟରେ ଦିଲ୍ଲୀରେ ଥିବାରୁ ଏହି ଚର୍ଚ୍ଚା ବଢ଼ିଛି । ଆଉ ଅନୁମାନ କରାଯାଉଛି ସଂଗଠନ ଓ ସରକାର ଭିତରେ ସମନ୍ୱୟ ରକ୍ଷା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କରିପାରନ୍ତି ଦିଲ୍ଲୀ ନେତୃତ୍ୱ । 

Advertisment

ନୂଆକରି ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ନେବା ପରେ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି ମନମୋହନ ସାମଲ ।  ଏପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଦିଲ୍ଲୀରେ ଅଛନ୍ତି। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ରାଞ୍ଚିରେ ବସିଥିବା ଇଷ୍ଟର୍ନ ଜୋନାଲ ବୈଠକରେ ଯୋଗଦେବା ପରେ, ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ, ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । 

ମନମୋହନ ସାମଲଙ୍କ ଏହି ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି, ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ରୂପରେଖ ପ୍ରସ୍ତୁତ ହେବ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଫାଇଲେ ଏବେ ଦିଲ୍ଲୀ କୋର୍ଟରେ। ସଂଗଠନକୁ ଅଣଦେଖା ନକରି ହୁଏତ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଇପାରେ ଦିଲ୍ଲୀ । କେନ୍ଦ୍ର ନିର୍ଦେଶରେ ହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ, ତେଣୁ ମୋହନ ମନମୋହନଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ । 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଏସ୍‌ଏସ୍‌ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ବିଏଲ ସନ୍ତୋଷଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରଙ୍କ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା କରିବା ସହ "ଓଡ଼ିଶା ଭିଜନ ବୁକ୍" ଦେଇଛନ୍ତି । ଏହାବାଦ ଅନ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମୋହନ ମାଝୀ ଭେଟିବେ ବୋଲି ସୂଚନା ମିଳିଛି । ସେହିଭଳି ଚତୁର୍ଥ ଥର ସଭାପତି ହେବା ପରେ ଆସାମ ଗସ୍ତ ସାରି ଦିଲ୍ଲୀରେ ଅଛନ୍ତି ମନମୋହନ ସାମଲ । ସେ ମଧ୍ୟ ସଙ୍ଘ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ନେତୃତ୍ୱଙ୍କୁ ଭେଟିବା ସୂଚନା ରହିଛି ।