କନକ ବ୍ୟୁରୋ: ଓଡ଼ିଶା ଦୃଷ୍ଟିବାଧିତ ସଂଘର ପିଛା ଛାଡ଼ୁନି ବିବାଦ । ସଂଘ ପରିସରରେ ଥିବା କଲ୍ୟାଣ ମଣ୍ଡପକୁ ନେଇ ଚାଲିଛି ଛକାପଞ୍ଝା । ସଂଘର ନୂଆ ଓ ପୁରୁଣା କର୍ମକର୍ତ୍ତାଙ୍କ ଭିତରେ ବଢ଼ୁଛି ତିକ୍ତତା । ସଂଘ ପରିସରରେ ଥିବା କଲ୍ୟାଣ ମଣ୍ଡପର ପରିଚାଳନା ନେଇ ଥାନାରୁ କଚେରୀ ଯାଏଁ ପହଞ୍ଚିଲାଣି ମାମଲା ।
ଓଡ଼ିଶା ଦୃଷ୍ଟିହୀନ ସଂଘରେ ଥମୁନି ବିବାଦ। ଥାନାରୁ କୋର୍ଟ କଚେରୀ ଯାଏଁ ଗଲାଣି ମାମଲା । ଆଉ ଏବେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଓଡ଼ିଶା ଦୃଷ୍ଟିହୀନ ସଂଘର କର୍ମକର୍ତ୍ତା । ସଂଘ ପରିସରରେ ଥିବା କଲ୍ୟାଣ ମଣ୍ଡପର କେୟାର ଟେକର ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ବିରୋଧରେ ବର୍ଷିଛନ୍ତି ଆନ୍ଦୋଳନକାରୀ । ଷଡ୍ଯନ୍ତ୍ର କରି ସଂଘର କିଛି କର୍ମକର୍ତ୍ତାଙ୍କ ବିରୋଧରେ ମିଛ ମାମଲା କରାଯାଇଥିବା ଅଭିଯୋଗ ହୋଇଛି ।
ଉତ୍କଳ ଦୃଷ୍ଟିହୀନ ସଂଘର କଲ୍ୟାଣ ମଣ୍ଡପକୁ ନେଇ ତେଜିଛି ବିବାଦ । ସଂଘ ପରିସରରେ ଥିବା ଏହି କଲ୍ୟାଣ ମଣ୍ଡପ ବହୁ ବର୍ଷରୁ ଚାଲୁଥିବାବେଳେ ସଂଘର କିଛି କର୍ମକର୍ତ୍ତା ଏହାକୁ ବିରୋଧ କରିଛନ୍ତି । ଦୃଷ୍ଟିବାଧିତ ତଥା ତାଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ମଣ୍ଡପ ବ୍ୟବହାର କରିବା ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିବା ଚର୍ଚ୍ଚା ହୋଇଆସିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ବୋଲି ସଂଘର ପୂର୍ବତନ ସମ୍ପାଦକ କହିଛନ୍ତି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଚକ୍ରାନ୍ତ କରି ସଂଘରେ ଫାଟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।
ସଂଘ ପରିସରରେ ଦୃଷ୍ଟିବାଧିତଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ରହିଛି । କଲ୍ୟାଣ ମଣ୍ଡପରେ ବିବାହ ଭଳି କାର୍ଯ୍ୟକ୍ରମ ହେଲେ ପାଠପଢ଼ାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । କିନ୍ତୁ କଲ୍ୟାଣ ମଣ୍ଡପର ଆୟରେ ସଂଘର ବିଭିନ୍ନ ଉନ୍ନୟନ କାମ ହେଉଥିବା କହିଛନ୍ତି ଆଉ ଏକ ଗୋଷ୍ଠୀ ।