କନକ ବ୍ୟୁରୋ: ମୋହନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ନୂଆ ମନ୍ତ୍ରୀ । ସରକାରଙ୍କୁ ଏହାରି ଭିତରେ ଶହେ ଦିନ ବିତିଯାଇଛି । ଏବେବି ଏକାଧିକ ପଦ ନେଇ କାର୍ଯ୍ୟ କରୁଛନ୍ତି ମନ୍ତ୍ରୀ । ସେମାନଙ୍କ କାର୍ଯ୍ୟଭାର କମ ପାଇଁ ପ୍ରୟାସ କରିବେ ମୋହନ ସରକାର । ଆହୁରି ୬ ମନ୍ତ୍ରୀପଦ ଲାଗି ପଦକୁ ପୂରଣ କରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ମୋହନ ତାଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ବିଧାୟକଙ୍କୁ ସାମିଲ କରିବେ ଏନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଞ୍ଚଳିକତା, ମହିଳା, ବରିଷ୍ଠ ଏବଂ ନୂଆ ମୁହଁଙ୍କୁ ମିଳିପାରେ ମନ୍ତ୍ରୀପଦ ।
- ସାଙ୍ଗଠନିକ କ୍ଷେତ୍ରରେ ହେବ ଆମୂଳ ଚୁଳ ପରିବର୍ତ୍ତନ
- ମଣ୍ଡଳଠାରୁ ରାଜ୍ୟ ସଭାପତି ପାଇଁ ହେବ ନିର୍ବାଚନ
ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ କ୍ଷିପ୍ରଗତିରେ ଚାଲିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୁବନେଶ୍ୱର ଆସି ଏହି ଅଭିଯାନକୁ ଦିଗଦର୍ଶନ ଦେବା ପରେ ସଦସ୍ୟତା ସଂଗ୍ରହରେ ଲାଗିପଡିଛନ୍ତି ନେତା, ମନ୍ତ୍ରୀ ଏବଂ ଛାମୁଆ ସଂଗଠନ । ଦୁଇଟି ପର୍ଯ୍ୟାୟରେ ହେଉଥିବା ସଦସ୍ୟତା ଅଭିଯାନ ଅକ୍ଟୋବର ୩୧ ତାରିଖରେ ଶେଷ ହେବ । ଏହାପରେ ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ଚୟନ କରାଯିବ । ମନମୋହନ ସାମଲଙ୍କୁ ପୁଣିଥରେ ସଭାପତି ଦାୟିତ୍ୱ ମିଳିବ ନା ଆଉ କିଏ ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିବ ତା ଉପରେ ରହିବ ସମସ୍ତଙ୍କ ନଜର ।
ବିଜେପି ସରକାରର ଶହେ ଦିନ ବିତି ଯାଇଥିଲେ ସୁଦ୍ଧା ନିଗମ, ବୋର୍ଡ ଉପାଦେଷ୍ଟା ଭଳି ପଦଗୁଡିକ ଏପର୍ଯ୍ୟନ୍ତ ଖାଲି ପଡି ରହିଛି । ନିର୍ବାଚନ ନଲଢ଼ି ଦଳକୁ ସରକାରରେ ଆଣିଥିବା ନେତାମାନେ ଏହି ପଦ ଲାଗି ଚାହିଁ ରହିଛନ୍ତି । ଆଉ ଦୁର୍ଗା ପୂଜା ପରେ ଏହି ପଦବୀ ପୂରଣ କରାଯିବ ବୋଲି କହୁଛନ୍ତି ବିଜେପି ରାଜ୍ୟ ସଭାପତି ।