କନକ ବ୍ୟୁରୋ: ଜାନୁଆରୀ ସରିଗଲା, ଏବେ ଫେବୃଆରୀକୁ ଘୁଞ୍ଚିଲା ବିଜେପି ରାଜ୍ୟ ସଭାପତି ଘୋଷଣା ।  ରାଜ୍ୟ ବିଜେପି ସଭାପତି ପଦ ପାଇଁ ଲବି ଜୋରଦାର ହୋଇଥିବାରୁ କୌଣସି ନିଷ୍କର୍ସ ବାହାରିପାରୁନାହିଁ । ନୂଆ  ନା ପୁରୁଣା ମୁହଁକୁ ଦାୟିତ୍ବ ଦିଆଯିବ ତାକୁ ନେଇ ବି ଦ୍ବନ୍ଦ୍ବ ବଢିଛି । ଆଉ ଏହି ଦ୍ବନ୍ଦ୍ବ ଦୂର ପାଇଁ ଆରଏସଏସ ପ୍ରମୁଖ ମୋହନ ଭାଗବତ ଓଡିଶା ଆସିଛନ୍ତି ବୋଲି କୁହାଯାଉଛି ।  

Advertisment

ଜାନୁଆରୀ ୩୧ ସୁଦ୍ଧା ବିଜେପି ସଭାପତି ଘୋଷଣା ହେବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ବିଜେପି ରାଜ୍ୟ ପ୍ରଭାରୀ । କିନ୍ତୁ ଏବେ ଏହି ଦମ୍ଭୋକ୍ତି ପାଣିରେ ମିଳାଇ ଯାଇଛି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଲି ରାଜ୍ୟ ସଭାପତି ପଦ ଘୋଷଣା ଘୁଞ୍ଚି ଘୁଞ୍ଚି ଯାଉଛି । ଜାନୁଆରୀ ପରେ ଏବେ ଏହି ଘୋଷଣା ଫେବୃଆରୀକୁ ଚାଲିଯାଇଛି । କାରଣ, ବିଭିନ୍ନ ଗୋଷ୍ଠୀ ନିଜ ଲୋକଙ୍କୁ ସଭାପତି ପଦରେ ବସାଇବା ପାଇଁ ଜୋରଦାର ଲବି କରୁଥିବା ସୂଚନା ମିଳିଛି। ଯାହାଫଳରେ କେନ୍ଦ୍ରୀୟ ନେତୃତ୍ବ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି । 

 ଅଙ୍କ ଛିଡାଇବାକୁ ଆସିଛନ୍ତି ମୋହନ ଭାଗବତ !
 ସଭାପତି ପଦ ପାଇଁ ସହମତି ବନାଇବେ ସଂଘ ମୁଖ୍ୟ  

କୁହାଯାଉଛି, ବିବାଦ ଯୋଗୁଁ ରାଜ୍ୟ ବିଜେପି ସଭାପତି ଘୋଷଣା ବିଳମ୍ବ ହେଉଛି । ନେତାଙ୍କ ମଧ୍ୟରେ ସହମତି ହୋଇପାରୁନି । ନୂଆ ଚେହେରା ନା ପୁରୁଣା ରିପିଟ, ତାକୁ ନେଇ ବଡ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏବେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ୫ ଦିନିଆ ଓଡିଶା ଗସ୍ତରେ ଅଛନ୍ତି । ୭ ମାସ ଭିତରେ ସରକାର ଓ ସଙ୍ଗଠନ ମଧ୍ୟରେ ତାଳମେଳ ରହୁନି ବୋଲି କେନ୍ଦ୍ରୀୟ ନେତୃତ୍ବର ହୃଦବୋଧ ହୋଇଛି । ତେଣୁ ମୋହନ ଭାଗବତ ସଭାପତି ଚୟନ ସହ ସରକାର ଓ ସଙ୍ଗଠନ ମଧ୍ୟରେ କିଭଳି ସମନ୍ୱୟ ରହିବ ସେ ନେଇ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି । 
 
ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିଛି । ତେଣୁ ସଙ୍ଗଠନକୁ ମଜଭୁତ କରି ଯିଏ ପୌର ଓ ପଂଚାୟତ ନିର୍ବାଚନ ଜିତାଇପାରିବ ଓ ୨୦୨୯ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିପାରିବ, ସେଭଳି ଲଢୁଆ ମନୋଭାବ ନେତାଙ୍କୁ ଖୋଜୁଛି ବିଜେପି ।