କନକ ବ୍ୟୁରୋ : ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଆପଣ ଯାହା ଶୁଣିଛନ୍ତି ସେମିତି କିଛି ଘଟିନି । ଭୁଲ ଶୁଣିଛନ୍ତି, ବୁଝାମଣାରେ ଭୁଲ ହୋଇଛି । ଦଳରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉଛି । ଦଳରେ କାହାକୁ ପାତର ଅନ୍ତର କରାଯାଏ ନାହିଁ । କାର୍ୟ୍ୟକର୍ତ୍ତାଙ୍କୁ ଦଳରେ ଉଚିତ ସମ୍ମାନ ମିଳେ ।

Advertisment

ସେପଟେ ବିଷ ଓଗାରିଲେ ବିଜେପି ବିଧାୟକ ଜୟ ନାରାୟଣ । ନିଜ ମନ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଝାଡିଛନ୍ତି ଜୟନାରାୟଣ । ବିଜେପିରେ ଥାଇ ମଧ୍ୟକୁ ଦଳକୁ ପରୋକ୍ଷରେ ତେରଛା ବାଣ ମାରିଛନ୍ତି । ଦିବଙ୍ଗତ ସମୀର ଦେଙ୍କ ଶୋକ ସଭାରେ ଯୋଗ ଦେଇ ଜୟନାରାୟଣ କହିଛନ୍ତି, ମୁଁ ଗୋଟିଏ ତଡ଼ାଖିଆ ଲୋକ । ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି । ଏବେ ବିଜେପିରୁ ସାଇଡଲାଇନ ହୋଇ ରହିଛି ।

ଏହାସହ ପୂର୍ବରୁ ସମୀର ଦେଙ୍କ ସହ ଯାହା ଘଟିଥିଲା ତାହା ଏବେ ମୋ ସହ ଘଟୁଛି । ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା । ଏବେ ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଉଛି । ମୋ ବିରୋଧରେ ଜଣେ ଲୋକ ରହିଛି । ଏହା ପାର୍ଟିର ଯୋଜନା ବଦ୍ଧ କାର୍ୟ୍ୟକ୍ରମ । ବିଜେପି ରାଜ୍ୟ ସଭାପତି ରାଜସ୍ୱମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏମିତି କହିଛନ୍ତି ଜୟନାରାୟଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ୨୪ ଘଣ୍ଟା ନ ବିତୁଣୁ ଜୟନାରାୟଣ ନିଜର ଅସନ୍ତୋଷ ଝାଡିଛନ୍ତି । ପ୍ରଶ୍ନ ଉଠୁଛି, ଜୟନାରାୟଣଙ୍କୁ ଦଳରେ କୋଣଠେସା କରିଛି କିଏ ? ଜୟନାରାୟଣଙ୍କ ଗୁରୁତ୍ୱ ବିଜେପିରେ କମାଇଛି କିଏ ? ଜୟନାରାୟଣଙ୍କ ପଛରେ କିଏ ଓ କାହିଁକି ଲୋକ ଲଗାଇଛି ? ଦଳରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ନେତା କିଏ ? ଜୟନାରାୟଣଙ୍କ ବୟାନ ବିଜେପିର କେଉଁ ନେତାଙ୍କ ଆଡକୁ ଇଙ୍ଗିତ କରୁଛି ।