ଝାଡ଼ଖଣ୍ଡରେ ନିର୍ବାଚନ, ଚାପରେ ରାଜ୍ୟ ବିଜେପି ।  ଓଡିଶା ନେତାଙ୍କୁ ଗୁରୁଦାୟିତ୍ୱ  ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ନେତାଙ୍କୁ ଗୁରୁ ଦାୟିତ୍ୱ । ଶାସକ ଜେଏମଏମକୁ କ୍ଷମତାରୁ ହଟାଇବାକୁ ବିଜେପି ପୂରା ଦମ୍‌ରେ ଲାଗିପଡିଛି । ପ୍ରଥମ ଥର ପାଇଁ ବିଜେପି ସରକାର ଗଢିବା ପରେ ସେହି ସଫଳତା ପଡୋଶୀ ଝାଡ଼ଖଣ୍ଡରେ ଆଣିବାକୁ ରାଜ୍ୟ ବିଜେପିକୁ ଦାୟିତ୍ୱ ଦେଇଛି କେନ୍ଦ୍ରୀୟ ବିଜେପି ।

ଅଦ୍ୟତନ ହୋଇଛି
vlcsnap-2024-10-27-20h10m34s927

କନକ ବ୍ୟୁରୋ: ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ହଟାଇ ଡବଲ ଇଂଜିନର ସରକାର ଗଢ଼ିବାକୁ ଦିନରାତି ଏକ କରିଦେଇଛି ବିଜେପି । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢିବା ପରେ ସେହି ସଫଳତା ପଡୋଶୀ ଝାଡ଼ଖଣ୍ଡରେ ଆଣିବାକୁ ରାଜ୍ୟ ବିଜେପିକୁ ଦାୟିତ୍ୱ ଦେଇଛି କେନ୍ଦ୍ରୀୟ ବିଜେପି । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଅଛନ୍ତି । 
 
ମୋହନ ମାଝୀ ଓଡିଶା ବିଜେପିର ଆଦିବାସୀ ଚେହେରା । ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବିଜେପି ତଥା ଦେଶର ଜଣେ ପ୍ରଭାବଶାଳୀ ଓବିସି ଚେହେରା । ଝାଡ଼ଖଣ୍ଡରେ ଅଣ ଆଦିବାସୀ ତଥା ଓବିସି ବର୍ଗର ଭୋଟର ଅଧିକ ରହିଛନ୍ତି, ତାକୁ ନଜରରେ ରଖି ବିଜେପି କେନ୍ଦ୍ରୀୟ ନେତୃତ୍ବ ଏକ ବଡ଼ ରଣନୀତି କରିଛି । 

ମୋହନ ଓ ଧର୍ମେନ୍ଦ୍ରଙ୍କୁ ଆଗରେ ରଖି ଝାଡଖଣ୍ଡ ଗଡ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେପି । ଝାଡ଼ଖଣ୍ଡରେ ଆଦିବାସୀ ଓ ଓବିସି ଭୋଟର ସଂଖ୍ୟା ପ୍ରାୟ ୫୦ ପ୍ରତିଶତରୁ ଅଧିକ  । ଆଉ ଏହି ଭୋଟବ୍ୟାଙ୍କକୁ ନିଜଆଡକୁ ଆଣିବାକୁ ଏହି ଦୁଇ ନେତା ରଣନୀତି କରୁଛନ୍ତି । 

  • ପ୍ରଚାରକ ତାଲିକାରେ ଓଡିଶାର ମାଳ ମାଳ ନେତା
  • ୧୮ ନିର୍ବାଚନମଣ୍ଡଳୀ ଜଗିବେ ଓଡିଆ ନେତା

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ଜାରି କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ।  ଏହି ତାଲିକା ବାଦ ରାଜ୍ୟ ବିଜେପି ମନ୍ତ୍ରୀ ସାଂସଦ ଏବଂ ବିଧାୟକଙ୍କୁ ଦିଆଯାଇଛି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ । ଓଡ଼ିଆ ଭାଷାଭାଷୀ ରହୁଥିବା ୧୮ ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ନେତା । ଏବେଠାରୁ ସେମାନେ ମଧ୍ୟ ଝାଡ଼ଖଣ୍ଡରେ ଡେରା ପକାଇଛନ୍ତି । ଝାଡଖଣ୍ଡରେ ପ୍ରଚାର ଏବେ ଜୋରଦାର ହେଲାଣି । ଦୀପାବଳୀ ପରେ ମୋହନ ଓ ଧର୍ମେନ୍ଦ୍ର ପ୍ରଚାର ମୈଦାନକୁ ଓହ୍ଲାଇବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe