କନକ ବ୍ୟୁରୋ: ଝାଡଖଣ୍ଡ ନିର୍ବାଚନର କମ୍ପନ ଓଡିଶାରେ ଅନୁଭବ ହେଲାଣି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି କ୍ଷମତାକୁ ଆସିବା ପରେ ଏବେ ପଡୋଶୀ ଝାଡଖଣ୍ଡରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଅଣ୍ଟା ଭିଡିଛି । ସୀମାନ୍ତବର୍ତ୍ତୀ ତିନୋଟି ଜିଲ୍ଲା ମୟୁରଭଞ୍ଜ, କେଉଁଝର ଏବଂ ସୁନ୍ଦରଗଡର ନେତାଙ୍କୁ ଦଳୀୟ ମୁଖିଆ ଦେଇଛନ୍ତି ଗୁରୁଦାୟିତ୍ବ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ତିନି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ କୃଷ୍ଣଚନ୍ଦ୍ର ମହାପାତ୍ର, ୧୦ ବିଧାୟକ ଓ ୩ ସାଂସଦ ଅନନ୍ତ ନାୟକ, ନବ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଆଗରେ ରଖି ବିଜେପି ଝାଡଖଣ୍ଡ ନିର୍ବାଚନ ମୈଦାନକୁ ଓହ୍ଲାଇବ । ଏହାଛଡା ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀ ବିଧାୟକଙ୍କ ଝାଡଖଣ୍ଡ ଯିବାକୁ ପ୍ରସ୍ତତ ରହିବା ପାଇଁ ସଙ୍କେତ ମିଳିଛି। ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ଦାୟିତ୍ବରେ ଥିବା ନେତା ଝାଡଖଣ୍ଡ ନିର୍ବାଚନ ପାଇଁ ସମରସଜ୍ଜା କରିବେ ।
ଝାଡଖଣ୍ଡର ୮୧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୮ ଟି ନିର୍ବାଚନ ମଣ୍ଡଳୀ ଜଗିବେ ଓଡିଶା ନେତା । ପ୍ରତି ନିର୍ବାଚନ ମଣ୍ଡଳୀରେ ଦୁଇଜଣ ନେତା ଓ ଶତାଧିକ ଛାମୁଆ କର୍ମୀ ନିର୍ବାଚନ ପରିଚାଳନା କରିବେ । ଝାଡଖଣ୍ଡରେ ଓଡିଆ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ଅର୍ଥାତ ୧୮ ପ୍ରତିଶତ ଅଛନ୍ତି । ଏହି ଭୋଟବ୍ୟାଙ୍କ ଉପରେ ନଜର ରଖିବ ଓଡିଶା ବିଜେପି । ଏହାବାଦ ଝାଡଖଣ୍ଡ ଆଦିବାସୀ ସମ୍ପ୍ରଦାୟର ଭୋଟରଙ୍କୁ ଟାଣିବାକୁ ଦାୟିତ୍ବ ନେଇଛନ୍ତି ନିଜେ ମୋହନ।
ତେବେ ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜ୍ୟ ବିଜେପିରେ ଯେତିକି ସକ୍ରିୟତା ବଢୁଛି, ରାଜଭବନ ଉପରେ ରାଜନୈତିକ ମହଲର ଆଖି ନିବଦ୍ଧ ହେଉଛି । ଅସଲ କଥା ହେଉଛି ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇବେ ନା ରାଜଭବନରେ ରହି ଗୋଟି ପରିଚାଳନା କରିବେ ତା ଉପରେ ସମସ୍ତଙ୍କ ନଜର ରହିବ ।