କନକ ବ୍ୟୁରୋ: ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ବାହାରିଛନ୍ତି । ତେବେ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ, ଏହି ଦୁଇ ଦଳର ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି ।
ଆଉ ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେନେଇ କିଛି ବି ସ୍ପଷ୍ଟ ହେଇନି । ଏହାରି ଭିତରେ ଶଙ୍ଖ ସୁପ୍ରିମୋ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ଚର୍ଚ୍ଚା ହେଉଛି ଏହି ଗସ୍ତରେ ନବୀନ ବିଜେପିର କିଛି ବଡ଼ ନେତାଙ୍କୁ ଭେଟି ଆଲୋଚନା କରିପାରନ୍ତି । ଏହାସହ ସେ ପିଏମ୍ ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ଖବର ମିଳୁଛି ।ତେଣୁ କେଉଁଠି ନା କେଉଁଠି ନବୀନଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।
ଅନ୍ୟପଟେ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ପୁଣିଥରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଚର୍ଚ୍ଚା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ମିଟିଂ ହେଇପାରେ । ତେଣୁ ଯେହେତୁ ବିଜେଡି ଆଉ ବିଜେପି ଭଳି ଦୁଇ ଦଳର ରାଜ୍ୟ ସଭାପତି ଏବେ ଦିଲ୍ଲୀ ଗସ୍ତରେ ବାହାରିଛନ୍ତି, ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ, ଓଡ଼ିଶା ପାଇଁ ଦିଲ୍ଲୀରୁ ଆସିବ କି ବଡ଼ ଖବର ?
ସାଧାରଣ ନିର୍ବାଚନ ପରଠାରୁ ବିଜେଡି-ବିଜେପି ସମ୍ପର୍କରେ ତିକ୍ତତା ଆସିଛି । ପୂର୍ବରୁ ଅଧିକାଂଶ ପ୍ରସଙ୍ଗରେ ନବୀନ, ବିଜେପିକୁ ସମର୍ଥନ କରିଆସୁଥିଲେ । ହେଲେ ନିର୍ବାଚନ ପରେ କିନ୍ତୁ, ସେମିତି ଖୋଲା ସମର୍ଥନ ଦେଖିବାକୁ ମିଳିନି । ଅନେକ ପ୍ରସଙ୍ଗରେ ବିଜେଡି ସାଂସଦମାନେ ଭାଗ ଭାଗ ହେଇ ସମର୍ଥନ ଦେଇଛନ୍ତି ନଚେତ୍ ବିରୋଧ କରିଛନ୍ତି । ତେଣୁ ଆଗକୁ ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନ ଅଛି, ତେଣୁ ବିଜେଡି ଉପରେ ଏବେ ସମସ୍ତଙ୍କର ନଜର ।