କନକ ବ୍ୟୁରୋ: ଭଙ୍ଗାଯିବ ନୂଆଦିଲ୍ଲୀରେ ଥିବା ଓଡ଼ିଶା ଭବନ, ଖୁବଶୀଘ୍ର ଏହାକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏହି ଅଞ୍ଚଳରେ ୫ରୁ ୬ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଆଶଙ୍କା ରହୁଥିବା କାରଣରୁ ବର୍ତ୍ତମାନ ଏହା ରହିବା ଉପଯୋଗୀ ନୁହେଁ । ପୂର୍ତ୍ତ ବିଭାଗର ଯନ୍ତ୍ରୀ ଏନେଇ ଗୃହ ବିଭାଗକୁ ସବିଶେଷ ତଥ୍ୟ ଦେଇଛନ୍ତି । ଖୁବଶୀଘ୍ର ଏହାକୁ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ କରାଯିବ ବୋଲି ଜଣାପଡିଛି ।

Advertisment

ନୂଆଦିଲ୍ଲୀ ମହାନଗର ପରିଷଦ ମଧ୍ୟ ୨୦୨୨ ମସିହାରେ ନିଜର ଅଡ଼ିଟ୍ ରିପୋର୍ଟରେ ଓଡ଼ିଶା ଭବନ କୋଠାକୁ ଅସୁରକ୍ଷିତ ଘୋଷଣା କରିଥିଲେ । ପୂର୍ତ୍ତ ବିଭାଗ ପକ୍ଷରୁ ଏପ୍ରିଲ ୧୯, ୨୦୨୨ରେ ଓଡ଼ିଶା ଭବନ ସମେତ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ଷ୍ଟ୍ରକଚରାଲ ସେଫ୍ଟି  ଅଡ଼ିଟ ହୋଇଥିଲା । ଓଡ଼ିଶା ଭବନକୁ ଦୀର୍ଘଦିନ ଧରି ବ୍ୟବହାର କରାଯାଇପାରିବନାହିଁ, ମରାମତି କରାଗଲେ ମଧ୍ୟ ଏହା ସୁରକ୍ଷିତ ନୁହେଁ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ନୂଆଦିଲ୍ଲୀର ଏହି ଅଞ୍ଚଳଟି ସେସମିକ୍ ଜୋନ-୪ରେ ରହିଥିବା ବେଳେ ଏଠାରେ ୫ରୁ ୬ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଆଶଙ୍କା ରହୁଛି ।

୮୦ ଦଶକରେ ନିର୍ମାଣ ହୋଇଥିବା ଏହି କୋଠାର କଲମରେ ଫାଟ ସୃଷ୍ଟି ହୋଇଥିବା ବେଳେ ଏଥିରେ ପାଣି ପଶିବା ସହିତ ଏହା କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଅଡ଼ିଟ ରିପୋର୍ଟରେ ଦର୍ଶାଯାଇଛି । ଏହି କୋଠାକୁ ଭଙ୍ଗାଯିବା ସହିତ ଆଗାମୀ ଦୁଇ ବର୍ଷ ମଧ୍ୟରେ ନୂଆ କୋଠା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଏଠାରେ ୨୫ଟି ରୁମ ରହିଥିବା ବେଳେ ଏହାକୁ ୧୦୦କୁ ବଢାଇବାକୁ ଯୋଜନା ରଖାଯାଇଛି । ଏହି କୋଠା ଭଙ୍ଗାଯିବା ଆରମ୍ଭ ହେଲେ ଓଡ଼ିଶାର ଭିଆଇପି ଏବଂ ଭିଭିଆଇପି ମାନଙ୍କ ପାଇଁ ଅଶୋକା ହୋଟେଲରେ ରହିବାର ବ୍ୟବସ୍ଥା ହୋଇପାରେ । ଏଠାରେ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଓଡ଼ିଶା ନିବାସ ଓ ଓଡ଼ିଶା ସଦନକୁ ପଠାଯିବ ବୋଲି ଜଣାପଡିଛି ।