କନକ ବ୍ୟୁରୋ: ଓଡିଶାକୁ ଆସିଲା ଆୟୁଷ୍ମାନ । ଆଜି ଦିଲ୍ଲୀରେ ଏ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଆସନ୍ତା ମାସରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହେବ । ନୂଆକାର୍ଡ ଦେବେ ସରକାର । ଦେଶର ୩୦ ହଜାର ହସପିଟାଲରେ ହିତାଧିକାରୀ ୫ରୁ ୧୦ ଲକ୍ଷ ଟଙ୍କା ଯାଏଁ କ୍ୟାସଲେସ ସୁବିଧା ପାଇବେ । ବଡ କଥା ହେଲା, ଚିକିତ୍ସାବେଳେ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
- ଓଡିଶାକୁ ମିଳିଲା ଆୟୁଷ୍ମାନ
- ଆସନ୍ତା ମାସରୁ ଲୋକେ ପାଇବେ ସୁବିଧା
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଆଉ ପାଦେ ଆଗେଇଛି ଓଡିଶା । ରାଜ୍ୟରେ ଖୁବଶୀଘ୍ର ଲାଗୁହେବ ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝି, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା , ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି ଏମଓୟୁ ହୋଇଛି । ରାଜ୍ୟରେ ଆସନ୍ତା ଫେବ୍ରୁଆରୀ ମାସରୁ ଆୟୁଷ୍ମାନ ଯୋଜନାର ସେବା ଉପଲବ୍ଧ ହେବ । ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କାର୍ଡର ନୂଆ ନାଁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଯୋଜନା ଲାଗୁ ହେବ ।
ଆୟୁଷ୍ମାନରେ କି ସୁବିଧା ମିଳିବ?
- ୧.୩ କୋଟି ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ
- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ
- ଦେଶର ୩୦ ହଜାର ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା
- ୫ରୁ ୧୦ ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା
- ମହିଳାଙ୍କୁ ୧୦ ଲକ୍ଷ ଯାଏଁ ସୁବିଧା
- ପୁରୁଣା କାର୍ଡ ହଟାଇଦିଆଯାଇ ନୂଆ କାର୍ଡ ଦିଆଯିବ
- ଲୋଗୋ ବି ପରିବର୍ତ୍ତନ ହେବ
ଏମିତି ଦେଖାଯିବ ନୂଆ ଆୟୁଷ୍ମାନ କାର୍ଡ । ଏଥିରେ ଆୟୁଷ୍ମାନ, ଓଡିଶା ସରକାର ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଲୋଗୋ ରହିବ । ତା ସହିତ ହିତାଧିକାରୀଙ୍କ ନାଁ ଓ ଠିକଣା ବି ସ୍ଥାନ ପାଇବ । ତେବେ ଆୟୁଷ୍ମାନ କାର୍ଡକୁ ନେଇ ଯେଉଁ କିଛି ଦ୍ୱନ୍ଦ୍ୱ ଉଠିଥିଲା ତାକୁ ଦୂର କରିଛନ୍ତି ସରକାର । ଏହି କାର୍ଡ ମାଧ୍ୟମରେ ତାଲିକାଭୁକ୍ତ ଡାକ୍ତରଖାନାରେ କୌଣସି ପ୍ରକାରର ଦେୟ କିମ୍ବା ଜମାରାଶି ଦେବାକୁ ପଡିବ ନାହିଁ । ଅର୍ଥାତ ହିତାଧିକାରୀ କ୍ୟାସଲେସ ସୁବିଧା ପାଇବେ ।