କନକ ବ୍ୟୁରୋ: ପଟିଆଲାରେ ଆୟୋଜିତ ପଞ୍ଚମ ଇଣ୍ଡିଆନ୍ ଓପନ୍ ଥ୍ରୋ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଗୋଟିଏ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ସହ ମୋଟ ୪ ପଦକ ଜିତିଛନ୍ତି । ୨୦ ବର୍ଷରୁ କମ୍ ପୁରୁଷ ସଟ୍ପୁଟ୍ରେ ଓଡ଼ିଶାର ଓମ୍କାର ପ୍ରସାଦ ନନ୍ଦ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେ ୧୭.୮୫ ମିଟର ସଟ୍ପୁଟ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ହରିୟାଣାର ହର୍ଷିତ ଗେହଲଟ (୧୭.୦୨) ଓ ୟଶ୍ ଚିକାରା (୧୭.୦୧) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ ।
ଏହା ବି ପଢ଼ନ୍ତୁ: ସଞ୍ଜୁ ହେଉଛନ୍ତି ବିରାଟ-ରୋହିତଙ୍କ ମିଶ୍ରଣ : କୁମ୍ବଲେ
ମହିଳା ହାମର ଥ୍ରୋ’ରେ ଦିବ୍ୟା ସାଣ୍ଡିଲ୍ୟା ଓ ୨୦ ବର୍ଷରୁ କମ୍ରେ ଅଙ୍କିତା ମହାପାତ୍ର ରୌପ୍ୟ ଦୁଇଟି ଜିତିଥିଲେ । ମହିଳାରେ ଦିବ୍ୟା ୫୩.୩୧ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଉତ୍ତରପ୍ରଦେଶର ତନ୍ୟା ଚୌଧୁରୀ (୬୧.୦୯) ଓ ରାଜସ୍ଥାନର ସୋନିୟା (୫୨.୨୯) ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପାଇଥିଲେ । ୨୦ ବର୍ଷରୁ କମ୍ ମହିଳାରେ ଅଙ୍କିତା ୪୫.୪୯ ମିଟର ହାମର ଥ୍ରୋ କରି ଦ୍ବିତୀୟରେ ରହିଥିଲା ବେଳେ ତାଙ୍କ ଆଗରେ ହରିୟାଣାର ଖୁସି (୪୯.୪୫) ରହି ସ୍ବର୍ଣ୍ଣ ଜିତିଥିଲେ । ଆନ୍ଧ୍ରପ୍ରଦେଶର ଆୟେଶା ବାନୁ ଏମ୍ (୪୫.୩୭) କାଂସ୍ୟ ଜିତିଥିଲେ । ପୁରୁଷ ଜାଭ୍ଲିନ୍ରେ ଅଲିମ୍ପିଆନ୍ କିଶୋର ଜେନା କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ । ଏସୀୟ କ୍ରୀଡ଼ା ପଦକ ବିଜେତା କିଶୋର ୭୪.୭୫ ମିଟର ଜାଭ୍ଲିନ୍ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲା ବେଳେ ଶିବମ୍ ଲୋହାକାରେ (୮୧.୦୮) ଓ ଆନନ୍ଦ ସିଂହ (୭୬.୯୪) ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ ।
Follow Us