କନକ ବ୍ୟୁରୋ: ବିଧାନସଭା ମୌସୁମୀ ଅଧିବେଶନ ଦ୍ୱିତୀୟ ଦିନ ବି ବିରୋଧୀଙ୍କ ହଟ୍ଟଗୋଳରେ କଟିଗଲା । ବିଧାୟକ ଦଳ ବୈଠକରେ ଯେଉଁ ନିଷ୍ପତ୍ତି କରିଥିଲା ବିଜେଡି, ଆଜି ଗୃହ ଆରମ୍ଭ ହେବା ମାତ୍ରେ ତାକୁ କାର୍ଯ୍ୟକାରୀ କରିଥିଲା । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ନାରାବାଜି ଆରମ୍ଭ କରିଦେଇଥିଲେ ବିଜେଡି ସଦସ୍ୟ। ହାତରେ ପ୍ଲା-କାର୍ଡ ଓ ବ୍ୟାନର ଧରିଥିଲେ । ଚାଷୀ ମାରଣ ନୀତି ଚଳିବ ନାହିଁ କହି ସରକାରଙ୍କୁ ଘେରିଥିଲେ । କଂଗ୍ରେସ ବିଧାୟକ ମଧ୍ୟ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । 'ରାଜ୍ୟରେ ସାର ଓ ୟୁରିଆ ସଙ୍କଟ, ଚାଷୀ ହନ୍ତସନ୍ତ, ସାରର କଳାବଜାରୀରେ ଦଲାଲ ମାଲେମାଲ, ସରକାର ଚୁପ୍' ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା କଂଗ୍ରେସ । ପ୍ରଶ୍ନକାଳକୁ ବାତିଲ୍ କରି ମୁଲତବି ପ୍ରସ୍ତାବରେ ଆଲୋଚନା ପାଇଁ ଅଡ଼ି ବସିଥିଲା । ହୋହଲ୍ଲାରେ ବିଧାନସଭା କମ୍ପୁଥିବାବେଳେ, ଚୁପ୍ କରିବାକୁ ଶତଚେଷ୍ଟା କରି ବିଫଳ ହେବାରୁ ପ୍ରଥମାର୍ଦ୍ଧରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି କରିଥିଲେ ବାଚସ୍ପତି ।
ବିଧାନସଭାରେ ବଡ଼ ବିଚିତ୍ର ସ୍ଥିତି। ମୁଲତବି ପ୍ରସ୍ତାବ ଆଣିଥିଲା କଂଗ୍ରେସ, ହଙ୍ଗାମା କଲା ବିଜେଡି, ଆଲୋଚନା ନକରି ଗୃହକୁ ବାତିଲ କରିଦେଲେ ବାଚସ୍ପତି । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା, ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯାହା ପ୍ରସଙ୍ଗ ଆସିବ ଆଲୋଚନା କରିବେ ସରକାର । ହେଲେ ପ୍ରଶ୍ନକାଳ ବାତିଲ ଦାବିରେ ରାଜି ହୋଇନଥିଲେ ବାଚସ୍ପତି । ସାର ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ଚାହୁଥିଲା ବିଜେଡି । ଯାହା ଫଳରେ ଗୃହ ସ୍ୱାଭାବିକ ହୋଇପାରିଲାନି । ଦ୍ୱିତୀୟାର୍ଦ୍ଧରେ ବି ଗୃହ ଅଚଳ, ଆସନ୍ତାକାଲି ଦିନ ୧୦ଟା ଯାଏଁ ମୁଲତବି କରିଦେଲେ ବାଚସ୍ପତି । ମାତ୍ର ୭ ଦିନର ମୌସୁମୀ ଅଧିବେଶନର ଦୁଇ ଦିନ ବିନା ଆଲୋଚନାରେ ଶେଷ ହୋଇଛି । ପ୍ରଥମ ଦିନରେ କଂଗ୍ରେସ ଆଣିଥିବା ସରକାର ବିରୋଧୀ ଅନାସ୍ଥା ପ୍ରସଙ୍ଗ ଝୁଲି ରହିଛି ।