କନକ ବ୍ୟୁରୋ: ବିଧାନସଭାରେ ଆଜି ବି ସାର ତାତି ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗକୁ ଆଜି ସାରା ଦିନ ଗୃହରେ ହଟ୍ଟୋଗଳ କରିଥିଲେ ବିରୋଧୀ । ପୂର୍ବାହ୍ଣରେ ମାତ୍ର ୪ ମିନିଟ ଚାଲିଥିଲା ଗୃହ । ଅପରାହ୍ଣରେ ବି ମାତ୍ର ୪ ମିନିଟ୍‌ ହିଁ ଚାଲିପାରିଲା । ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀ ହଙ୍ଗାମା କରିବାରୁ ପ୍ରଥମେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି କରାଯାଇଥିଲା । ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲା’କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ସେପଟେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାନେ ବି କିଛି କମ୍‌ ପ୍ରତିବାଦ କରିନଥିଲେ । ଫଳରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବି କରାଯାଇଥିଲା ।  

Advertisment

ଅପରାହ୍ଣରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିପାରିନଥିଲା । ଗୃହ ମଧ୍ୟଭାଗକୁ ଆସି ବିଜେଡିର ସଦସ୍ୟମାନେ ସରକାର ବିରୋଧୀ ନାରବାଜି କରିଥିଲେ । ବିଜେଡି ସଦସ୍ୟଙ୍କୁ ନିଜ ସ୍ଥାନକୁ ଯିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ । କଂଗ୍ରେସ ବିଧାୟକମାନେ ମଧ୍ୟ ହୋହାଲ୍ଲା କରିବା ଜାରି ରଖିଥିଲେ । କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଥିଲେ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । 

ସେପଟେ ଗୃହ ସ୍ୱାଭାବିକ ନ ହେବା ଯାଏ ଅନାସ୍ଥା ପ୍ରସ୍ତାବ ନେଇ ବିଚାର କରିପାରିବେ ନାହିଁ ବୋଲି ବାଚସ୍ପତି କହିଥିଲେ ।  କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ତାରା ବାହିନୀପତି, ସୋଫିଆ ଫିର୍ଦ୍ଦୋସ ଅନାସ୍ଥା ପୂର୍ବରୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବାରୁ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆସନ୍ତାକାଲି  ଦିନ ୧୦ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।