କନକ ବ୍ୟୁରୋ: ବିଧାନସଭାରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ । ଗୃହକୁ ବାଚସ୍ପତି ଆସିବା ପୂର୍ବରୁ ଆରମ୍ଭ ହୋଇଗଲା ହଟ୍ଟଗୋଳ । କଂଗ୍ରେସ ମହିଳା ନିର୍ଯାତନାକୁ ପ୍ରସଙ୍ଗ କରିଥିବା ବେଳେ ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗ କରିଥିଲା । ପୂରା ଘଟଣା ଥିଲା ଏଭଳି କିଛି । ସକାଳ ୧୦ଟା ସମୟରେ କଂଗ୍ରେସର ବିଧାୟକମାନେ ମହିଳା ଅତ୍ୟାଚାରକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ତା'ପରେ ୧୦ ଟା ୨୮ ରେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ଲେଖାଥିବା ବ୍ୟାନର ବେକରେ ପକାଇ ଗୃହ ମଧ୍ୟକୁ ନାରାବାଜି ଦେଇ ପ୍ରବେଶ କରିଥିଲେ ।
କଂଗ୍ରେସର ନାରାବାଜି ଦେଖି ବିଜେଡି ବିଧାୟକମାନେ ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ଲେଖାଥିବା ପ୍ଲା-କାର୍ଡ ଧରି ଆରମ୍ଭ କରିଥିଲେ ହଟ୍ଟଗୋଳ । ୧୦ ଟା.୨୮ ରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ୧୦ଟା ୩୦ରେ ବାଚସ୍ପତି ଆସିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ। ହଟ୍ଟଗୋଳ ଭିତରେ ମାତ୍ର ୬ ମିନିଟ୍ ଚାଲିପାରିଥିଲା ଗୃହ। ବିଧାନସଭାରେ ପ୍ରବଳ ହୋହଲ୍ଲା ପାଇଁ ମଧ୍ୟାହ୍ନ ୧୨ ଟା ଯାଏ ବାଚସ୍ପତି ମୂଲତବୀ କରିଥିଲେ ଗୃହକୁ । ଏହାପରେ ବିଜେଡି ବିଧାୟକମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ କଂଗ୍ରେସ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।
ସେପଟେ ଏନେଇ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯିଏ ନାଲି ଚଷମା ପିନ୍ଧିବ ତାକୁ ସାରା ସଂସାର ନାଲି ନାଲି ଦେଖାଯିବ । କଂଗ୍ରେସ ନିଜ ସରକାର ସମୟକୁ ଦେଖୁ, ଏଠି ନୂଆ ସରକାର ଆସିଛି, ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ସୁଧୁରିବ ସେ ନେଇ ତତ୍ପର ଅଛନ୍ତି । ଯେଉଁମାନେ ଦୋଷୀ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଦୋଷୀ କେମିତି ଖସିବେ ନାହିଁ ସେ ନେଇ ବ୍ୟବସ୍ଥା କରାଯାଉଛି ।