Odisha Assembly : ଚାଲିପାରିଲାନି ବିଧାନସଭା : କାଲି ୧୦ ପର୍ଯ୍ୟନ୍ତ ମୁଲତବୀ

ଗତକାଲିଠାରୁ ଆରମ୍ଭ ହୋଇଥିବା ଗୃହ ଆଜି ଦ୍ବିତୀୟ ଥର ପାଇଁ ମୁଲତବୀ ରଖାଯାଇଛି । କୌଣସି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଉଛନ୍ତି । ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କଲେ ମଧ୍ୟ ସେମାନେ ମାନୁନାହାନ୍ତି

Odisha Assembly

Odisha Assembly Photograph: (Kanak News)

କନକ ବ୍ୟୁରୋ: ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଚାଲିପାରିଲାନି ବିଧାନସଭା । କାଲି ସକାଳ ୧୦ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ କଲେ ବାଚସ୍ପତି । ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ଚର୍ଚ୍ଚାରେ ରହିଛି । ଗତକାଲିଠାରୁ ଆରମ୍ଭ ହୋଇଥିବା ଗୃହ ଆଜି ଦ୍ବିତୀୟ ଥର ପାଇଁ ମୁଲତବୀ ରଖାଯାଇଛି । କୌଣସି ପ୍ରସଙ୍ଗରେ ଆଲୋଚନା କରିବା ସମୟରେ ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା ଆରମ୍ଭ କରିଦେଉଛନ୍ତି । ବିଧାୟକମାନଙ୍କୁ ବାଚସ୍ପତି ଅନୁରୋଧ କଲେ ମଧ୍ୟ ସେମାନେ ମାନୁନାହାନ୍ତି । ଗୃହ ସ୍ବାଭାବିକ ନହେବା ଯାଏଁ ଆଲୋଚନା ହୋଇପାରିବ ନାହିଁ । ଶେଷରେ ବାଚସ୍ପତି ସୁରମା ପାଢ଼ୀ ଆସନ୍ତାକାଲି ୧୦ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି। 

ଗତକାଲି ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ଆଜି ପୂର୍ବାହ୍ନରେ ମାତ୍ର ୪ ମିନିଟ୍‌ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା । ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହଲ୍ଲା କରିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ । ଅପରାହ୍ନ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ମାତ୍ର ୫ ମିନିଟ୍‌ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। 

ଗୃହରେ ଆଜି ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଆଣିଛନ୍ତି । ଅନ୍ୟପଟରେ ଗୃହ ସ୍ୱାଭାବିକ ନ ହେବା ଯାଏଁ ଅନାସ୍ଥା ପ୍ରସ୍ତାବ ନେଇ ବିଚାର କରି ହେବନାହିଁ ବୋଲି ବାଚସ୍ପତି କହିଛନ୍ତି । ଏଥିସହ ବାଚସ୍ପତି କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ବିଧାୟକ ତାରା ବାହିନୀପତି, ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ ଅନାସ୍ଥା ପୂର୍ବରୁ ଗଣମାଧ୍ୟମରେ କହିଥିବାରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe