କନକ ବ୍ୟୁରୋ: ଓଡ଼ିଶାରୁ ହଟିବ କୁପୋଷଣ । ୨୦୩୬ ସୁଦ୍ଧା ଅପପୁଷ୍ଟି ମୁକ୍ତ ରାଜ୍ୟ ପାଲଟିବ ଓଡ଼ିଶା । ରାଜ୍ୟ ସରକାରଙ୍କ ଏହି ଭିଜନକୁ କାର୍ଯ୍ୟକାରୀ କରିବାକୁ ଆରମ୍ଭ ହୋଇଛି ଆମରି ଶିଶୁ । ଅପପୁଷ୍ଟି ରୋକିବାକୁ କାମ କରିବ ଏହି ପୋର୍ଟାଲ । ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁର ପୋଷଣକୁ ନେଇ ସମସ୍ତ ତଥ୍ୟ ଏହି ପୋର୍ଟାଲ୍ରେ ରେକର୍ଡ ରହିବ । ଯେଉଁ ରେକର୍ଡ ଅଧାରରେ ଅପପୃଷ୍ଟି ହାରକୁ ଟ୍ରାକ୍ କରିବେ ସରକାର । ପ୍ରତି ୩ ମାସରେ ଗୋଟିଏ ବ୍ଲକକୁ ଅପପୁଷ୍ଟି ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ସୁସ୍ଥ ଓଡ଼ିଶାର ପରିକଳ୍ପନା ଭିତରେ ରାଜ୍ୟରେ ଏବେ ୯୮,୬୨୦ ଶିଶୁ ଅପପୁଷ୍ଟିର ଶିକାର । ଯାହାକୁ ଦୂର କରିବାକୁ ଅଙ୍ଗନବାଡ଼ିରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୋଷକ ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର । ବିଭିନ୍ନ ଯୋଜନାରେ ଛୋଟ ଶିଶୁଙ୍କ ପାଇଁ ପ୍ରତି ମାସକୁ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଛତୁଆ, ଅଣ୍ଡା, ଲଡୁ, କଦଳୀ, ଶୁଖିଲା ରାସନ ବଣ୍ଟାଯାଉଛି ।
ଅପପୃଷ୍ଟି ଓ କୁପୋଷଣର ବିକଳ ଚିତ୍ର ପୂର୍ବରୁ ଦେଖିଛି ଓଡ଼ିଶା । କିନ୍ତୁ ନୂଆ ସରକାର ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଭିତରେ ଅପପୁଷ୍ଟି ମୁକ୍ତ ରାଜ୍ୟକୁ ବାସ୍ତବତାର ରୂପ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ତେବେ ସରକାର ଅପପୁଷ୍ଟି ମୁକ୍ତ ପାଇଁ ଯେଉଁ ହିସାବ ଦେଇଛନ୍ତି ତାହା ବେଶ ସମୟସାପେକ୍ଷ । ତେଣୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ଅପପୁଷ୍ଟି ମୁକ୍ତ ଓଡ଼ିଶା ସ୍ବପ୍ନ ପୂରା ହେବ ତ?