କନକବ୍ୟୁରୋ : ରୋଜଗାରିଆ ପୁଅ ମୃତ୍ୟୁର ଖବର ପାଇ ଶୋକରେ ବୁଡ଼ିଛି ପୁରା ଗାଁ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ପରିବେଶ । ସମସ୍ତେ ନିର୍ବାକ୍ । ଦୋଳିରେ ଶୋଇଛି ବାପାକୁ ହରାଇଥିଲା ୩ ମାସର ପୁଅ । ମାଟି କାନ୍ଥରେ ବିବାହ ଚିତା ଏବେ ବି ଝଟକୁଛି, ଏପଟେ ସିନ୍ଥିରୁ ସିନ୍ଦୁର ଲିଭି ସାରିଛି । ଘର ଭିତରେ କଇଁକଇଁ ହୋଇ କାନ୍ଦୁଛନ୍ତି ସ୍ତ୍ରୀ, ଦୂଆର ମୁହଁରେ ଆଖିରୁ ଗଡାଉଛନ୍ତି ବାପା-ମାଆ । ଏ ହୃଦୟବିଦାରକ ଦୃଶ୍ୟ ଆସିଛି, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରୁ । ଗାଁର ସର୍ବେଶ୍ୱର ପରିଡ଼ାଙ୍କ ୩୨ ବର୍ଷୀୟ ପୁଅ ଅବିନାଶ ପରିଡ଼ା ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ଜୀବନ ହରାଇଛନ୍ତି । ଗତ ୧୪ ତାରିଖରେ ତାଙ୍କୁ ୩ ଜଣ ଦୁର୍ବୁର୍ତ୍ତ ହତ୍ୟା କରିଥିବା ତେଲେଙ୍ଗାନା ନରସିଂହ ଥାନାରେ ଏତଲା କରିଛନ୍ତି ମୃତ ଅବିନାଶଙ୍କ ଭାଇ ଅଭିଷେକ ପରିଡ଼ା ।
ପ୍ରଦୂଷଣ ପ୍ରମାଣପତ୍ର ବଡ଼ କେଳେଙ୍କାରୀ ଠାବ : ଘରେ ଗାଡି ଥାଇ ମିଳୁଛି ପଲ୍ୟୁସନ ସାର୍ଟିଫିକେଟ୍
ମକର ସଂକ୍ରାନ୍ତି ଦିନ ତେଲେଙ୍ଗାନାର ଗାନ୍ଧୀପେଟା କୁ ଅଲେଖ ମେଳା ଦେଖିବାକୁ ଯାଇଥିଲେ ଅବିନାଶ । ମେଳା ଦେଖି ନିଜ ବସାକୁ ଫେରିବା ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କଠୁ ମୋବାଇଲ, ମନିପର୍ସ ଲୁଟି ନେବା ପରେ ହତ୍ୟା ଧମକ ଦେଇଥିଲେ! ଭୟଭୀତ ହୋଇ ଅବିନାଶ ରାସ୍ତାରେ ଯାଉଥିବା ଗାଡ଼ିକୁ ସହାୟତା ମାଗିଥିଲେ ମଧ୍ୟ କେହି ସହଯୋଗ କରିନଥିଲେ । ତା'ର କିଛି ସମୟ ପରେ ଗାନ୍ଧୀପେଟର ଗୋଶାଳା ନିକଟରୁ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅବିନାଶ ତିନି ବର୍ଷ ହେବ ବିବାହ କରିଥିଲେ, ତାଙ୍କର ୩ ମାସର ପୁଅ ଅଛି l ଘରେ ବୁଢ଼ା ବାପା, ମାଆ, ପତ୍ନୀ ଓ କୁନି ପୁଅ ରହିଛନ୍ତି । ଏହି ହତ୍ୟା ଘଟଣା ସଂପର୍କରେ ଜାଣିବା ପରଠୁ କାହାରି ଆଖିରୁ ଶୁଖୁନି ଲୁହ । ଘଟଣାର ୪ଦିନ ପରେ ବି ହତ୍ୟାକାରୀଙ୍କ କୌଣସି ସୂଚନା ମିଳିନାହିଁ l ଠାକୁରପାଟଣା ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ନ୍ୟାୟ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ମୃତକ ଶ୍ରମିକଙ୍କ ପରିବାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/18/19-2026-01-18-18-45-50.jpg)