କନକ ବ୍ୟୁରୋ :   ନଦୀରେ ଭାସୁଛି ବସ୍‌ , ପାହାଡ଼ରୁ ହଜାର ଫୁଟ୍‌ ତଳକୁ ଖସି ପଡ଼ିଛି । ପ୍ରଖର ସୁଅରୁ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ଦଉଡ଼ି ଲଗାଇ ବସକୁ ଟାଣୁଛନ୍ତି ଉଦ୍ଧାରକାରୀ ଟିମ୍‌ । ଏହା ଦୁର୍ଘଟଣାର ଭୟାବହତାକୁ ବୟାନ କରୁଛି  । ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ସହ ୧୧ଜଣ ସମସ୍ୟ ସିକ୍କିମ ବୁଲିବାକୁ ଯାଇଥିଲେ । କିନ୍ତୁ ଗୁରୁବାର ରାତିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତିସ୍ତା ନଦୀକୁ ଖସିପଡ଼ିଛି ବସ୍‌ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଗଛରେ ଲାଖିଥିବା ଅବସ୍ଥାରେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଇତିଶ୍ରୀଙ୍କ ସହ ଏବେ ବି ୮ ଜଣ ନିଖୋଜ ଅଛନ୍ତି । ତେବେ ଇତିଶ୍ରୀଙ୍କ ପୁଅ ଓ ପୁତୁରା ସୁରକ୍ଷିତ ଥିବା କହିଛନ୍ତି ଯାଜପୁର କୋରେଇ ବିଧାୟକ ଆକାଶ ଦାସନାୟକ । 

Advertisment

ଓଡ଼ିଆ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍‌ । ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୋହନ ମାଝୀ । ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ଦିଗରେ ଆଲୋଚନା ହୋଇଛି । ଏହାଛଡ଼ା ସହାୟତା ପାଇଁ ସିକ୍କିମକୁ ପଠାଯାଇଛି ସ୍ବତନ୍ତ୍ର ଟିମ୍‌ । ଖୁବଶୀଘ୍ର ନିଖୋଜଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ସିକ୍କିମ ସରକାର । ଦୁର୍ଘଟଣାକୁ ପ୍ରାୟ ୨୪ ଘଣ୍ଟା ପୂରିବାକୁ ଯାଉଥିବା ବେଳେ ଏବେ ବି ଇତିଶ୍ରୀଙ୍କ ସହ ୮ ଜଣଙ୍କ ପତ୍ତା ମିଳିନି ।