କନକ ବ୍ୟୁରୋ: ସିକ୍କିମ୍‌ରେ ଦୁର୍ଘଟଣା ପରେ ନିଖୋଜ ଓଡ଼ିଆ ପର୍ଯ୍ୟଟକଙ୍କ ଏଯାଏ ମିଳିନି ପତ୍ତା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଏନ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଇତିଶ୍ରୀଙ୍କ ସାନ ପୁଅ ଓ ପୁତୁରାଙ୍କ ମେଡିକାଲରେ ଚିକିତ୍ସା ଚାଲିଛି । ପୁଅ ସାଇରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ ପୁତୁରା ଅଂଶୁମାନର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଓଡ଼ିଶାରୁ ଯାଇଥିବା ସ୍ବତନ୍ତ୍ର ଟିମ୍ ସିକ୍କିମ୍‌ରେ ପହଞ୍ଚିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ମେଡିକାଲରେ ପହଞ୍ଚି ପାରିନାହାନ୍ତି । 

Advertisment

ଯାଜପୁର ରୋଡ୍‌ ବ୍ୟାସନଗର ଉମାପଦା ଗାଁର ଇତିଶ୍ରୀ ଜେନା, ତାଙ୍କ ବଡ଼ପୁଅ ସାହିଲ, ଇତିଶ୍ରୀଙ୍କ ସାନଭାଇ ଅଜିତ ଓ ଭାଉଜ ସୁନିତା ନିଖୋଜ ଅଛନ୍ତି । ଗତ ୨୫ ତାରିଖରେ ଇତିଶ୍ରୀଙ୍କ ସମେତ ତାଙ୍କର ଦୁଇ ପୁଅ, ପୁତୁରା, ବଡ଼ଭାଇ, ଭାଉଜ, ଝିଆରୀ, ସାନଭାଇ ଓ ଭାଉଜ ସିକ୍କିମ୍‌ ର ଗାଙ୍ଗଟକ୍‌କୁ ବୁଲିବାକୁ ଯାଇଥିଲେ । ସମସ୍ତେ ଏକ ହିଲ୍‌ଟପ୍‌କୁ ଯାଇ ସେଠାରୁ ଦୁଇଟି ଗାଡ଼ିରେ ଆଗପଛ ହୋଇ ଫେରୁଥିଲେ । ବଡ଼ଭାଇ ଶିଶିରଙ୍କ ପରିବାର ଅନ୍ୟ ଏକ ଗାଡ଼ିରେ ସୁରକ୍ଷିତ ଭାବେ ଫେରିଥିଲେ । ମାତ୍ର ଇତିଶ୍ରୀ, ଦୁଇପୁଅ, ସାନଭାଇ, ଭାଉଜ ଓ ପୁତୁରା ଥିବା ଗାଡ଼ିଟି ଆଉ ଫେରିନଥିଲା । ଖୋଜ୍‌ଖବର ନେବାରୁ ଗାଡ଼ିଟି ମୁନ୍‌ସିଥାଙ୍ଗ୍‌ ନିକଟରେ ଭାରସାମ୍ୟ ହରାଇ ହଜାରେ ଫୁଟ ତଳକୁ ଖସିପଡ଼ିବା ସହ ତିସ୍ତା ନଦୀ ଗର୍ଭକୁ ଚାଲିଯାଇଥିବା ଜଣାପଡ଼ିଥିଲା ।