କନକ ବ୍ୟୁରୋ : ଗୋଆରେ ଓଡ଼ିଆ ପର୍ଯ୍ୟଟକଙ୍କୁ ମାରପିଟ୍ ଓ ଦୁର୍ବ୍ୟବହାର ଅଭିଯୋଗ । ଟାଟୁ କରିବାକୁ ନେଇ ୩ ଜଣ ଓଡ଼ିଆ ପର୍ଯ୍ୟଟକଙ୍କୁ ମାରପିଟ କରାଯାଇଥିବା ଅଭିଯୋଗ ହୋଇଛି।  ଗୋଆର କାଲାଙ୍ଗୁଟରେ ଘଟିଛି ଏହି ଘଟଣା । ସାଂଘାତିକ କଥା ହେଉଛି ଥାନାରେ ଏତଲା ଦେଲେ ଓଡ଼ିଆ ପର୍ଯ୍ୟଟକ । କିନ୍ତୁ ଗୋଆ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବୁଝାମଣା ପାଇଁ ଚାପ ପକାଇଥିବା ଅଭିଯୋଗ ହୋଇଛି । ଏନେଇ ଓଡ଼ିଆ ପର୍ଯ୍ୟଟକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । 

Advertisment

ସୂଚନା ଅନୁସାରେ, ଓଡ଼ିଶାର ଦେବ ପି., ପତ୍ନୀ, ପୁଅ ଓ ଭାଇ ଅରୁଣ କୁମାରଙ୍କ ସହ ଗୋଆ ବୁଲିବାକୁ ଯାଇଥିଲେ । ସେହି ସମୟରେ କିଛି ଲୋକ ତାଙ୍କୁ ଟାଟୁ କରିବାକୁ କହିଥିଲେ । ଦେବ ପି ଟାଟୁ କରିବାକୁ ମନା କରିବାରୁ ଶହେରୁ ଅଧିକ ଟାଟୁ କରଥିବା ଯୁବକ  ଘେରିଯାଇ ମାରପିଟ୍ କରିବା ସହ ଦୁର୍ବ୍ୟବହାର କରିଥିଲେ । ସେଠାରେ ଉପସ୍ଥିତ ଗୋଆର ଜଣେ ମହିଳା ହସ୍ତକ୍ଷେପ କରି ପୋଲିସକୁ ଫୋନ କରି ଡାକିଥିଲେ । ହେଲେ ଥାନାରେ ଏତଲା ଦେବା ପରେ ବି  ଗୋଆ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଏତଲା ଦେବା ପରେ ଶହେରୁ ଅଧିକ ଟାଟୁ କଳାକାର ଥାନା ଘେରାଉ କରିବା ପରେ ଆପୋଷ ବୁଝାମଣା ପାଇଁ ପୋଲିସ ଚାପ ପକାଇଥିଲା । ତେବେ ମାରପିଟ ଓ ଦୁର୍ବ୍ୟବହାର ଭଳି କାଣ୍ଡ ଘଟାଇ ମଧ୍ୟ ଅଭିଯୁକ୍ତ ଖୁଲମଖୁଲ୍ଲା ବୁଲୁଥିବା ଓଡ଼ିଆ ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ତେଣୁ ନ୍ୟାୟ ପାଇଁ ସେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ।