କନକ ବ୍ୟୁରୋ: ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଘଟଣା । ଏବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଆଇସିୟୁରେ ଓଡ଼ିଆ ଛାତ୍ରୀଙ୍କ ଚିକିତ୍ସା ଚାଲିଛି । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜରେ ପଢୁଛନ୍ତି ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । ପୀଡ଼ିତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ଗତକାଲି ରାତି ପ୍ରାୟ ୮ଟା ୩୦ ସମୟରେ, ଡାକ୍ତରୀ ଛାତ୍ରୀ ଜଣକ କଲେଜ କ୍ୟାମ୍ପସ ବାହାରେ ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଯାଇଥିଲେ । ଯୁବତୀଙ୍କୁ ଘରୋଇ ହସ୍ପିଟାଲ ପଛପଟେ ଥିବା ଏକ ରାସ୍ତାରେ ଥିବା ଜଙ୍ଗଲକୁ ନେଇଯାଇଥିଲା। ସେଠାରେ ତାଙ୍କ ସହ ପାଶବିକତା କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁଷ୍କର୍ମ ଘଟଣାକୁ ନେଇ ଦୁର୍ଗାପୁରରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଦୁଷ୍କର୍ମର ଶିକାର ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଛି । କିନ୍ତୁ ତାଙ୍କୁ କେହି ସାହାଯ୍ୟ କରୁନାହାନ୍ତି। ଯଦି ଓଡ଼ିଶା ହୋଇଥାନ୍ତା, ତେବେ କାର୍ଯ୍ୟାନୁଷ୍ଠାନ ନିଆସରନ୍ତାଣି ବୋଲି ପୀଡ଼ିତାଙ୍କ ବାପା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହସ୍ପିଟାଲ୍‌ରେ ସୁରକ୍ଷା ବ୍ୟବସ୍ଥା ଥିଲେ ମୋ ଝିଅ ଏବେ ଏମିତି ଅବସ୍ଥାରେ ନଥାଆନ୍ତି ବୋଲି କହିଛନ୍ତି ପୀଡିତାଙ୍କ ବାପା । 

ସେପଟେ ଘଟଣାକୁ ନେଇ ମେଡିକାଲ କଲେଜ୍‌ରେ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଇନ୍ଦ୍ରଜିତ ସାହା ଘରୋଇ ମେଡିକାଲ କଲେଜକୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ସ୍ୱାସ୍ଥ୍ୟ ଭବନ ସୂତ୍ରରୁ ଜଣାପଡିଛି ଯେ, ପୁଲିସ ତଦନ୍ତ ଉପରେ ମଧ୍ୟ ନଜର ରଖାଯାଇଛି । ପଶ୍ଚିମବଙ୍ଗର ଦୁର୍ଗାପୁରର ଘରୋଇ ମେଡିକାଲ କଲେଜର ଜଘନ୍ୟକାଣ୍ଡ ପୁଣି ଏବେ ଚାଞ୍ଚଲ୍ୟ ଖେଳାଇଛି ।  ଏହି ଘଟଣା ୨୦୨୪ ମସିହାର ଆରଜି କର ମେଡିକାଲ କଲେଜ ମାମଲା ମନେ ପକାଇ ଦେଉଛି ଯାହା ସାରା ଦେଶକୁ ଥରାଇ ଦେଇଥିଲା । ସେତେବେଳେ ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।