କନକ ବ୍ୟୁରୋ: ଭାବ ଓ ଭାବନାର ବିଚକ୍ଷଣ ସମନ୍ବୟ । ଅକ୍ଷୟ ମହାନ୍ତିଙ୍କଠାରୁ ସ୍ୱରୁପ ନାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ତାଙ୍କର ସଂଗୀତମୟ ଯାତ୍ରା, ଅତୁଟ ଆଉ ଅତୁଳନୀୟ । ଅନ୍ୟମାନଙ୍କର ପରିଚୟ ତିଆରି କରୁଥିବା ସ୍ରଷ୍ଟା ଆଜି ଖୋଜୁଛନ୍ତି ନିଜର ପରିଚୟ । ଏବେ ବି ଅସଂଖ୍ୟ ଗୀତ ସଙ୍ଗୀତ ବାକି । ଏବେ ବି ଥକିନି ତାଙ୍କ କଲମ । ମନରେ ଦୁଃଖ ନାହିଁ ପାଇଲି କେତେ,  ଆଉ ହରାଇଲି କେତେ। ହେଲେ ଦୁଃଖ ଯେ, ଏତେ ବଡ ସଂଗୀତ ପରିବାରରେ ସେ ଆଜି କାହିଁକି ଏକୁଟିଆ ? ସରକାରଙ୍କ ମାତ୍ର ୨ ହଜାର ଟଙ୍କା ଭତ୍ତାରେ ଚାଲିଛି ତାଙ୍କର ଛୋଟିଆ ସଂସାର।

Advertisment

ମା ତୁମେ ମମତାର ସୀମାହୀନ ସାଗର…ଏହି କାଳଜୟୀ ଗୀତ ପାଇଁ ସଂଗୀତ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ରଷ୍ଟା ଆଜି ନିଜର ପରିଚୟ ଖୋଜୁଛନ୍ତି । ଆଜି କାହିଁକି ଅଲୋଡା, କାହିଁକି ଅଖୋଜା ? ମନରେ ଦୁଃଖ, ଆଉ ଛାତିରେ କୋହକୁ ଚାପି ରଖିବାକୁ ଚେଷ୍ଟା ତ କରୁଛନ୍ତି, ହେଲେ ଅନେକ ସମୟରେ ଅଭିମାନୀ ବି ହୋଇଯାଉଛନ୍ତି, ଆଉ କହିପକାଉଛନ୍ତି ଯେ ମୋତେ କେହି ପଚାରୁନାହାଁନ୍ତି । ମୋର ଘରର ରାସ୍ତା ସମସ୍ତେ ଭୁଲିଗଲେ ।  ବର୍ତ୍ତମାନ ସମୟରେ ମୁଁ  ବୋଧହୁଏ ଯୋଗ୍ୟ ନୁହେଁ । ତେଣୁ ମୋ ପାଖରେ କାମ ନାହିଁ । ନିଜ ଢୋଲ ନିଜେ ପିଟିପାରୁନି । ଏ ସବୁ କହିଲା ବେଳେ ଖୁବ ଛଳଛଳ, ଭାବ ବିହ୍ବଳ ହୋଇଯାଉଛନ୍ତି ସଚ୍ଚି ମହାନ୍ତି ।

ବହୁମୁଖୀ ପ୍ରତିଭାର ଅଧିକାରୀ ସଚ୍ଚି ମହାନ୍ତି। ଗୀତିକାର, ସଂଳାପ ଲେଖକ, ସାହିତ୍ୟିକ, ନାଟ୍ୟକାର। ଅଜସ୍ର ସମ୍ମାନ, ଅନେକ ସ୍ୱୀକୃତି। ଗୀତ ଆଉ ସଂଗୀତରେ ବଞ୍ଚୁଥିବା ମଣିଷଟିଏ । ଖୁବ ଦରଦୀ, ସମସ୍ତଙ୍କର ଅତି ପ୍ରିୟ ସଚ୍ଚି ଭାଇ। ଆଜି ସତେ ଯେମିତି ନିରୁଦ୍ଦିଷ୍ଟ । କାହିଁକି କେଜାଣି କାହାର ବି ନଜର ପଡୁନି ଏହି ମହାନ ସ୍ରଷ୍ଟା ଉପରେ । ପରିବାର ବୋଲି ତିନି ଝିଅ, ଆଉ ଧର୍ମପତ୍ନୀ । ପତ୍ନୀ ବି ଶଯ୍ୟାଶାୟୀ । ଘରର ସବୁକାମ କରିବାକୁ ପଡେ । ହେଲେ ମୁଁହ ଖୋଲି କେବେ ନିଜର କୋହ କହିନାହାଁନ୍ତି । ସେଥିପାଇଁ ବୋଧହୁଏ  ସରକାରଙ୍କ ନଜର ଆଢୁଆଳରେ । ଏଭଳି ଜଣେ କଳାକାରକୁ କଣ ଗୋଟେ ଉଚିତ ସମ୍ମାନଟିଏ ବି ମିଳିପାରିବନି ।

ସେ ଯାହା ଲେଖିଛନ୍ତି ତାହା ଚିର ସବୁଜ । ଇତିହାସ ତିଆରି କରିଥିବା ଗୀତିକାର । ତାଙ୍କରି କଲମ ମୁନରୁ ଆସିଥିବା ଗୀତ ଆଜି ଅନେକଙ୍କୁ ପରିଚୟ ଦେଇଛି । ତା ସହିତ ଜୀବିକା ବି । ହେଲେ ଆଜି ସେ ସଂଘର୍ଷ କରୁଛି ଟିକେ ସମ୍ମାନ ଓ ପରିଚୟ ପାଇଁ । ଅନ୍ୟମାନଙ୍କୁ ଜୀବନର ପରିଭାଷାକୁ ସରଳ ଭାଷାରେ ବୁଝାଉଥିବା ଏହି ମହାନ ଗୀତିକାର ଆଜି ଜୀବନର ଗଣିତର ମିଶାଣ ଫେଡାଣରେ ଫଶିଯାଇଛନ୍ତି । ବହୁତ କହୁଥିବା, ବହୁତ ଲେଖୁଥିବା , ସବୁବେଳେ ହସୁଥିବା ମଣିଷଟିର ଆଜି ହସ ଯେମିତି କିଏ ଚୋରାଇନେଇଛି । ପୁଣି କେବେ  ହସ ଫେରିବ. ପୁଣି କେବେ ସେ କଲମ ଚାଲିବ । ଯେ ଯାଏଁ ସଙ୍ଗୀତ ଥିବ, ସେଯାଏଁ ସଚ୍ଚି ମହାନ୍ତି ଥିବେ...