କନକ ବ୍ୟୁରୋ: ଗତବର୍ଷ ଜୁଲାଇରେ ତୃତୀୟ ମହଲାରୁ ଓଡ଼ିଆ ଭାଷାରେ ଶାସନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ବର୍ଷେ ବିତିନି, ହେଲେ ଶାସନରେ ଓଡ଼ିଆ ଭାଷାକୁ ନେଇ ବିଲକ୍ଷଣ ଦେଖିବାକୁ ମିଳିଛି । ବାବୁଙ୍କ ପାଇଁ ବୋଝ ହୋଇଯାଇଛି କି ଓଡ଼ିଆ ଭାଷା?
- କେବେ ହେବ ଓଡ଼ିଆ ଭାଷାରେ ଶାସନ?
- ବର୍ଷକରେ ଓଡ଼ିଆ ଲେଖିବାକୁ ଭୁଲିଗଲେଣି ବାବୁ
- ସରକାରୀ ଦପ୍ତରରେ ପାଳନ ହେଉନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବର୍ଷେ ପୂର୍ବରୁ ଓଡ଼ିଶାରେ ଓଡ଼ିଆରେ ଶାସନ ହେବ ବୋଲି ଜୋର୍ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ତତ୍ପର ହୋଇଉଠିଥିଲା ସରକାରୀ ବିଭାଗ । କିଛି ମାସ ଧରି ଓଡ଼ିଆରେ ଚାଲିଲା ଚିଠିର ଆଦାନପ୍ରଦାନ । ବିଭାଗୀୟ ବାବୁ ମଧ୍ୟ ଧରିଲେ ଓଡ଼ିଆ ଅଭିଧାନ । ସମୟ ଗଡ଼ିଗଲା, ଧୀରେ ଧୀରେ ବଦଳିଗଲା ଚିତ୍ର । ଏବେ କାଁ ଭାଁ ସରକାରୀ ଅଫିସକୁ ଛାଡ଼ିଦେଲେ ସବୁଠି ଚାଲିଛି ଇଂରାଜୀ ରାଜୁତି । ଚିଠି ଲେଖାଯାଉଛି, ହେଲେ ଓଡ଼ିଆ ଭାଷାର ନାଁ ଗନ୍ଧ ନାହିଁ । ଏମିତି କି ଖୋଦ୍ ମୁଖ୍ୟ ଶାସନ ସଚିବ ଯେଉଁ ଚିଠି ଲେଖିଛନ୍ତି ତାହା ଅଧା ଓଡ଼ିଆରେ ସୀମିତ ।
ଓଡ଼ିଆ ଭାଷାରେ ସରକାରୀ ବ୍ୟବସ୍ଥା ଚଳାଇବାକୁ ବାବୁଙ୍କୁ ମିଳିଥିଲା ତାଲିମ । ହେଲେ ବାବୁଙ୍କର ଇଂରାଜୀ ପ୍ରୀତି ଏଯାଏଁ ଯାଇନି । ଯେଉଁ ଲୋକସେବା ଭବନରେ ନୀତି ନିୟମ ତିଆରି କାଗଜ ପ୍ରସ୍ତୁତ ହେଉଛି । ସେଠାରେ ହିଁ ଓଡ଼ିଆ ଭାଷାକୁ ମୋଡ଼ି ମକଚି ଦିଆଯାଉଛି । ତୃତୀୟ ମହଲାର ନିର୍ଦ୍ଦେଶକୁ ପ୍ରଥମ ଓ ଦ୍ବିତୀୟ ମହଲା ଫୁ’ କରି ଉଡ଼ାଇ ଦେଉଛନ୍ତି । ଅନ୍ୟପଟେ ଓଡ଼ିଆ ଅସ୍ମିତାର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ପ୍ରଶ୍ନ ଉଠୁଛି....
- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାହିଁକି ପାଳନ କରୁନାହାନ୍ତି ବାବୁ?
- ଓଡ଼ିଆରେ ଚିଠି ନହେଲେ ବିଭାଗୀୟ ମନ୍ତ୍ରୀ କାହିଁକି କରୁନାହାନ୍ତି ତାଗିଦ୍?
- ଓଡ଼ିଆରେ ଚିଠି ଲେଖିବାକୁ ସଂକୋଚ କରୁଛନ୍ତି କି ବିଭାଗୀୟ ଅଧିକାରୀ?
- ଓଡ଼ିଆରେ ଚିଠି ଲେଖୁନଥିବା ବାବୁଙ୍କୁ କାହିଁକି କରାଯାଉନି ଉତ୍ତରଦାୟୀ?