କନକ ବ୍ୟୁରୋ : ସରକାରକୁ ଆସୁ ଆସୁ ମୁଖ୍ୟମନ୍ତ୍ରୀ କହିଥିଲେ ଓଡ଼ିଆ ଭାଷାରେ ଚାଲିବ ସରକାରୀ ଦପ୍ତର । ଆଉ ଇଂରାଜୀ ନୁହେଁ ସବୁକିଛି ଚାଲିବ ଓଡ଼ିଆରେ । ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନର ସଂଶୋଧନ କରାଯିବ । ହେଲେ ଯେତେବେଳେ ଆଜି ଉତ୍କଳ ଦିବସକୁ ମହାଆଡ଼ମ୍ବରରେ ଦିଲ୍ଲୀରୁ ପଲ୍ଲୀ ଯାଏ ପାଳନ କରାଯାଉଛି, ସେତେବେଳେ ପ୍ରଶ୍ନ ଉଠୁଛି ଆମ ଓଡ଼ିଆ ଭାଷା କେତେ ଆଗକୁ ଯାଇଛି । ୯ମାସ ଭିତରେ ଓଡ଼ିଆ ଭାଷାର କାର୍ଯ୍ୟାନ୍ୱୟନ ଠିକ୍ ଭାବରେ ସରକାରୀ ଦପ୍ତରରେ ହୋଇପାରୁନାହିଁ । ବିଭିନ୍ନ ବିଭାଗର ବିଜ୍ଞପ୍ତି ଆଉ ସରକାରୀ ଚିଠିରେ କାଁ ଭାଁ ଓଡ଼ିଆ ଭାଷାରେ କିଛି ଚିଠି ଲେଖୁଛନ୍ତି ଅଧିକାରୀ, ହେଲେ ଅନେକ କ୍ଷେତ୍ରରେ ଆଜି ବି ଇଂରାଜୀ ଭାଷା ହିଁ ଚାଲିଛି ।

Advertisment

ସରକାରକୁ ୧୦ମାସ ବିତିବାକୁ ବସିଲାଣି, ହେଲେ ଓଡ଼ିଆ ଅସ୍ମିତାର ମୂଳପିଣ୍ଡ କୁହାଯାଉଥିବା ଓଡ଼ିଆ ଭାଷାରେ ଶାସନକୁ କାହିଁକି ସଠିକ ଭାବେ କାର୍ଯ୍ୟକାରୀ କରିପାରୁନାହାଁନ୍ତି ସରକାର, ସେ ନେଇ ବଡ ପ୍ରଶ୍ନ ଉଠିଛି । 
- ଭାଷା କାର୍ଯ୍ୟକାରୀ କରିବାରେ କିଏ ସାଜୁଛି ବାଧକ? 
- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିଏ ଅବମାନନା କରୁଛି ?
- ବାବୁ ଓ ବିଭାଗୀୟ ଅଧିକୀରୀ ଓଡ଼ିଆ ଭାଷାକୁ ଭୁଲି ଯାଉଛନ୍ତି କି ?
- ନା ଓଡ଼ିଆରେ ଚିଠି ଲେଖିବାକୁ ସଂକୋଚ  କରୁଛନ୍ତି ?
ବାଇଟ- ଦେବୀ ପ୍ରସନ୍ନ ପଟ୍ଟନାୟକ, ଭାଷାବିତ୍

ଭାଷାର ମର୍ଯ୍ୟାଦା ଓ ଅଗ୍ରଗତି ପାଇଁ ଆଜିଠୁ ୧୫ ଦିନ ଧରି ଓଡ଼ିଆ ପକ୍ଷ ପାଳନ କରୁଛନ୍ତି ରାଜ୍ୟ ସରକାର । ହେଲେ ସରକାରଙ୍କର ଏହି ଭାଷା ପ୍ରତିଶ୍ରୁତି ଭବିଷ୍ୟତରେ କେତେ ପ୍ରତିଫଳନ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।

ଗତ ନିର୍ବାଚନରେ ଜୋର୍ ଧରିଥିଲା ଓଡ଼ିଆ ଅସ୍ମିତା ପ୍ରସଙ୍ଗ । ନୂଆ ସରକାର ଆସିଲା ପରେ କହିଲେ, ଓଡ଼ିଆ ଭାଷାରେ ସବୁ କାମ ହେବ । ଲୋକ ସବୁ ବୁଝି ପାରିବେ । ଓଡ଼ିଆରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ ହେବ । ଏହା ମଧ୍ୟରେ ନୂଆ ସରକାର ଗଠନକୁ ୧୦ ମାସ ହେବାକୁ ଯାଉଛି, କିନ୍ତୁ ହୋଇଛି କ’ଣ ?

ଇଂରାଜୀରେ ବିଜୁଳି ବିଲ୍‌ ଲେଖା ଯାଉଛି । ସାଧାରଣ ଲୋକ ନବୁଝି ଧନ୍ଦି ହେଉଛି । ଯାହା ସବୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରକୁ ଆସୁଛି । ବିଦ୍ୟୁତ୍ ବିଲରେ ଆରମ୍ଭରୁ ଶେଷ ଯାଏ ସବୁକିଛି ଇଂରାଜୀରେ ଲେଖା ଅଛି । ଶେଷକୁ ଲେଖାଥିବା ଟଙ୍କା ଦେଖି ଲୋକ ବିଲ୍ ପଇଠ କରୁଛନ୍ତି । ଇଂରାଜୀ ଜାଣି ନଥିବା ଲୋକ କିଛି ବୁଝି ପାରୁନାହାନ୍ତି, କେଉଁ ବାବଦରେ କେତେ ଟଙ୍କା ବିଲ୍ ହିସାବ କରାଯାଇଛି । ବିଦ୍ୟୁତ୍ ବିତରଣ କମ୍ପାନୀ ଠକିଲେ ବି ବୁଝିବାର କିଛି ଉପାୟ ନାହିଁ । ବିଦ୍ୟୁତ୍ କାଟି ଦିଆଯିବା ଭୟରେ ଲୋକ ବିଲ୍ ପଇଠ କରି ଚାଲିଛନ୍ତି ।

ଏଠାରେ ଓଡ଼ିଆ ଅସ୍ମିତାର କଥା ଉଠୁଛି । ଓଡ଼ିଶାରେ କାମ କରୁଥିବା ବିଦ୍ୟୁତ୍ ବିତରଣ କମ୍ପାନୀ ଓଡ଼ିଆ ବଦଳରେ ଇଂରାଜୀରେ ବିଲ୍ ଦେଉଛନ୍ତି । ଏନେଇ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆରେ ବିଦ୍ୟୁତ୍ ବିଲ୍ ଦେବା ପାଇଁ ଦୀର୍ଘଦିନ ହେଲା ଦାବି କରାଯାଉଛି । ସରକାରଙ୍କର ଆନ୍ତରିକତା ନାହିଁ । ଆଗାମୀ ଦିନରେ ଓଡ଼ିଆରେ ବିଦ୍ୟୁତ୍ ବିଲ୍ ନଆସିଲେ ବଡ଼ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ଓଡ଼ିଆ ଅସ୍ମିତା ପାଇଁ କାହାର କେତେ ଆନ୍ତରିକତା ? ଇଂରାଜୀରେ ବିଦ୍ୟୁତ୍ ବିଲ୍ ଆସିବା ତା’ର ଏକ ଉଦାହରଣ ମାତ୍ର ।