କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା , ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତାଙ୍କ ବାପା । ସେ କହିଛନ୍ତି , ଏ ଘଟଣା ସମ୍ପର୍କରେ ଆମକୁ କେହି ଜଣାଇନାହାନ୍ତି । ତା'ର ଜଣେ ସାଙ୍ଗଠାରୁ ଖବର ପାଇ ଆମେ ଦୌଡ଼ିକି ଆସିଛୁ । ୬ରୁ ୭ ଜଣ ଘଟଣାସ୍ଥଳରେ ଥିଲେ । ମୋ ଝିଅକୁ ହଇରାଣ କରି ତା ’ ଫୋନ୍ ଛଡ଼ାଇନେଲେ , ତାକୁ ୩ ହଜାର ଟଙ୍କା ମାଗିଲେ ।
ସୂଚନା ଅନୁସାରେ , ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜରେ ପଢୁଥିଲେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । ତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ଗତ ରାତି ପ୍ରାୟ ୮ଟା ୩୦ ସମୟରେ, ଡାକ୍ତରୀ ଛାତ୍ରୀ ଜଣକ କଲେଜ କ୍ୟାମ୍ପସ ବାହାରେ ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଯାଇଥିଲେ । ଯୁବତୀଙ୍କୁ ଘରୋଇ ହସ୍ପିଟାଲ ପଛପଟେ ଥିବା ଏକ ରାସ୍ତାରେ ଥିବା ଜଙ୍ଗଲକୁ ନେଇଯାଇଥିଲା । ସେଠାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁଷ୍କର୍ମ ଘଟଣାକୁ ନେଇ ଦୁର୍ଗାପୁରରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ଦୁଷ୍କର୍ମର ଶିକାର ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଛି । କିନ୍ତୁ ତାଙ୍କୁ କେହି ସାହାଯ୍ୟ କରୁନାହାନ୍ତି । ଯଦି ଓଡ଼ିଶା ହୋଇଥାନ୍ତା, ତେବେ କାର୍ଯ୍ୟାନୁଷ୍ଠାନ ନିଆସରନ୍ତାଣି ବୋଲି ପୀଡ଼ିତାଙ୍କ ବାପା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।