କନକ ବ୍ୟୁରୋ : ରିଅଲ ଲାଇଫର ସ୍ବାମୀ-ସ୍ତ୍ରୀ ସବ୍ୟସାଚୀ ଓ ଅର୍ଚ୍ଚିତା ଏଥର ରଜରେ ହେବେ ମୁହାଁମୁହିଁ । ଓଲିଉଡ୍‌ର ଏହି ଦୁଇ ଷ୍ଟାର୍‌ ଦମ୍ପତିଙ୍କ ନୂଆ ଫିଲ୍ମ ରଜ ବଜାରରେ ଆସୁଛି । ଦୁହେଁ ଗୋଟିଏ ନୁହେଁ, ଅଲଗା ଅଲଗା ଫିଲ୍ମରେ ନଜର ଆସିବେ । ଜଣେ ଖାଣ୍ଟି ଓଡ଼ିଆତ୍ବର ଅନୁଭବ ଦେବ ତ’ ପୁଣି ଅନ୍ୟ ଜଣେ ଡରରେ ଥରାଇବ । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ ଗଳ୍ପ ଆଧାରିତ ସବ୍ୟସାଚ୍ଚୀଙ୍କ ଚଳଚ୍ଚିତ୍ର ‘ଅନନ୍ତା’ ଓ ହରର୍‌ ବିଷୟବସ୍ତୁକୁ ନେଇ ବାବୁସାନଙ୍କ ଚଳଚ୍ଚିତ୍ର ‘ବୋଉ, ବୁଟୁ ଓ ଭୂତ’ ରଜ ବଜାରରେ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବ ବୋଲି ଆଶା କରାଯାଉଛି । ଉଭୟ ଚଳଚ୍ଚିତ୍ର ରଜର ଦିନକ ପୂର୍ବରୁ ଅର୍ଥାତ ଜୁନ୍‌ ୧୨ରେ ରିଲିଜ୍‌ ହେବ । ‘ଅନନ୍ତା’ର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର ଓ କୁମାର ସିଦେବ ମହାପାତ୍ର ।

Advertisment

ଏହି ଚଳଚ୍ଚିତ୍ରରେ ଫକୀର ମୋହନଙ୍କ କାଳଜୟୀ ଚରିତ୍ର ‘ଅନନ୍ତା’ ଭୂମିକାରେ ନଜର ଆସିବେ ଅଭିନେତା ସବ୍ୟସାଚୀ ମିଶ୍ର । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସୂର୍ଯ୍ୟମୟୀ । ସବ୍ୟସାଚୀ ଓ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରୁଥିବା ବେଳେ ଏଥିରେ କୁନା ତ୍ରିପାଠୀ, ଜ୍ୟୋର୍ତିମୟୀ ପଣ୍ଡା ଓ ତାପସ ସରଗରିଆ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଅନ୍ୟପଟେ, ଏହି ଚଳଚ୍ଚିତ୍ରକୁ ସିଧାସଳଖ ଟକ୍କର ଦେବ ‘ବୋଉ, ବୁଟୁ ଓ ଭୂତ’। ଏଥିରେ ଦର୍ଶକ ବାବୁସାନଙ୍କ ସହ ଭେଟେରାନ୍‌ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ । ଏଥିସହ ସ୍ୱର୍ଗତ ଉତ୍ତମ ମହାନ୍ତି ମଧ୍ୟ ନଜର ଆସିବେ । ଏଥିରେ ବାବୁସାନ୍‌ଙ୍କ ଜବର୍‌ଦସ୍ତ କମେଡି ସହ ଭୂତର ଭୟ ବି ଦେଖିବାକୁ ମିଳିବ ।  ଚଳଚ୍ଚିତ୍ରରେ ବାବୁସାନଙ୍କ କୋ-ଷ୍ଟାର୍‌ ଭାବରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନଜର ଆସିବେ ।