କନକ ବ୍ୟୁରୋ : ଦିନକୁ ଦିନ ଯାତ୍ରା ପେଣ୍ଡାଲରେ ବଢୁଛି ଅଶ୍ଳିଳତା । କାହାଣୀ ଯାହା ବି ହେଉ ମଞ୍ଚ ଉପରେ ନଗ୍ନ ନୃତ୍ୟ ବଢୁଛି । ଏହାକୁ ନେଇ ଯାତ୍ରା ମାଲିକ ମାନଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି । ଆଜି ଯାତ୍ରା କମିଟି ମହାସଂଘ ଏହି ପ୍ରସଙ୍ଗ ଉପରେ ଆଇନ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଯାତ୍ରାରେ ବଢୁଥିବା ଅଶ୍ଳିଳତାକୁ ନେଇ ବିବାଦ ଭିତରେ ଏବେ ମୁହାଁମୁହିଁ ଯାତ୍ରା କମିଟି ଓ ଯାତ୍ରା ମାଲିକ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରାଯାଉଛି ବୋଲି ଅଭିଯୋଗ ଆଣି ଆଇନ୍ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯାତ୍ରା କମିଟି । ମଞ୍ଚ ଉପରେ ଅଶ୍ଳୀଳତା ପାଇଁ ସିଧାସଳଖ ଯାତ୍ରା ମାଲିକ ମାନଙ୍କୁ ଦାୟୀ କରିଛି କମିଟି । କମ୍ ସମୟ ମଧ୍ୟରେ ଅଧିକ ରୋଜଗାର ଓ ମାଲିକ-ମାଲିକଙ୍କ ମଧ୍ୟରେ ପ୍ରତିଯୋଗିତା ପାଇଁ ଅଶ୍ଳିଳତାକୁ ମାଲିକ ମାନେ ପ୍ରଶୟ ଦେଉଥିବା କହିଛନ୍ତି କମିଟି ସଦସ୍ୟ ।
ନଗ୍ନତା ପାଇଁ ଯାତ୍ରା ମାଲିକ ଦେଉଛନ୍ତି କି ପ୍ରୋତ୍ସାହନ ? ଅଶ୍ଳିଳତାରେ କେମିତି ଲାଗିବ ଅଙ୍କୁଶ ? ପୂର୍ବରୁ ଭଲ ପାରିବାରିକ କାହାଣୀକୁ ନେଇ କମ୍ପୁଥିଲା ଯାତ୍ରା ପେଣ୍ଡାଲ । ଏବେ କିନ୍ତୁ କାହାଣୀ କମ୍, ନଗ୍ନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବ୍ୟବସାୟିକ ଫାଇଦା ପାଇଁ ଆୟୋଜକ ମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ମାଲିକ ମାନେ ପୂର୍ବରୁ ଅଭିଯୋଗ କରିଥିଲେ ।
ଏହାକୁ ଖଣ୍ଡନ କରି ଯାତ୍ରା କମିଟି ସଦସ୍ୟ କହିଛନ୍ତି, ନଗ୍ନ ନାଚ ଓ ଆଇଟମ୍ ଡ୍ୟାନ୍ସ କରି ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି । ତେବେ ଏଥିପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଆଣିବାକୁ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ମହାସଂଘ । ବରିଷ୍ଠ କଳାକାର ବାପି ପଣ୍ଡା ମଧ୍ୟ ନଗ୍ନତାକୁ ବିରୋଧ କରିଛନ୍ତି । ସେପଟେ ଆଇନ୍ ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଅପସଂସ୍କୃତିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ ।
ଯାତ୍ରାରେ ନଗ୍ନତା, ଓଡ଼ିଆ ଅସ୍ମିତା ଉପରେ କୁଠାରାଘାତ କରୁଥିବାରୁ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।